ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକିର ଏକ ଜଣାଶୁଣା ନାଁ। ଓଡ଼ିଶାର ଏହି ସୁନା ଝିଅ ହକି ଖେଳରେ ଦେଶ ବିଦେଶରେ ସୁନାମ ଅର୍ଜନ କରି ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ଦିନେ ଜଙ୍ଗଲରୁ କାଠ ଆଣି ନିଜପାଇଁ  ହକି ସ୍ଟିକ୍ ବନେଇବାଠାରୁ ଜାତୀୟ ଦଳରେ ଖେଳିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନେକଙ୍କ ପାଇଁ ଏକ ଆଦର୍ଶ । ସେ ଭାରତ ପାଇଁ ୨୪୦ଟି ମ୍ୟାଚ୍ ଖେଳି ୧୭ଟି ଗୋଲ୍ ଦେଇଛନ୍ତି। ଦୀପ ଗ୍ରେସ୍ ଏକ୍କା ଭାରତୀୟ ଦଳରେ ନିଜକୁ ଜଣେ ସଫଳ ଡିଫେଣ୍ଡର ଭାବେ ପ୍ରତିପାଦିତ କରି ଦଳର ରକ୍ଷଣପଂକ୍ତିକୁ ଖୁବ ମଜବୁତ୍ କରିଛନ୍ତି।

ଦୀପ ଗ୍ରେସଙ୍କ ଜନ୍ମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଢି ଗ୍ରାମରେ ୧୯୯୪ ମସିହା ଜୁନ୍ ୩ ତାରିଖରେ ହୋଇଥିଲା। ସେ ତାଙ୍କ ବାପା ଚାର୍ଲସ ଓ ମା ଜୟମଣି ଏକ୍କାଙ୍କ ସାନଝିଅ। ପିଲାଦିନେ ସେ ତାଙ୍କ ଭାଇ ଓ ଦାଦାଙ୍କ ଠାରୁ ହକି ଖେଳ ଶିଖିବା ସହ ସେମାନଙ୍କ ସହ ହକି ଖେଳୁଥିଲେ।

ଭାରତୀୟ ଦଳର ଏହି ସଫଳ ଡିଫେଣ୍ଡର ପିଲାଦିନେ ନିଜ ଭାଇଙ୍କ ପରି ଗୋଲକିପର ହେବା ପାଇଁ ଇଚ୍ଛୁକ ଥିଲେ। ଦୀପ ଗ୍ରେସଙ୍କ ପିଲାଦିନର କୋଚ୍ ତେଜ କୁମାର ଖେସ୍ ତାଙ୍କର ଡିଫେଣ୍ଡିଂ ପ୍ରତିଭା ଦେଖି ତାଙ୍କୁ ଡିଫେଣ୍ଡର ହେବକୁ ପ୍ରୋତ୍ସାହିତ କରିଥିଲେ।

ସେ ୨୦୦୪ରୁ ମସିହାରେ ପନପୋଷ ସ୍ପୋର୍ଟସ ହସ୍ଟେଲରେ ହକି ଖେଳିବା ଆରମ୍ଭ କରିଥିଲେ। ଦୀପଗ୍ରେସ୍ ୨୦୦୬ ମସିହାରେ ସ୍କୁଲରେ ପଢୁଥିବା ବେଳେ ସ୍ପୋର୍ଟସ ଆଥୋରିଟି ଅଫ ଇଣ୍ଡିଆ(ସାଇ) ଏକାଡେମୀରେ ଖେଳିବା ପାଇଁ  ଚୟନ ହୋଇଥିଲେ। ସେ ୧୩ ବର୍ଷ ବୟସରେ ରାଜ୍ୟସ୍ତରରେ ହକି ଖେଳିବା  ଆରମ୍ଭ କରିଥିଲେ। ଏଠାରେ ସେ ଲୁସଲେ ଏକ୍କା ଓ ସରୋଜ ମହାନ୍ତିଙ୍କ ଠାରୁ କୋଚିଂ ନେଇଥିଲେ। ୧୬ ବର୍ଷ ବୟସରେ ସେ ଓଡ଼ିଶା ପକ୍ଷରୁ ସିନିୟର ଦଳରେ ଖେଳିଥିଲେ।

୨୦୧୦ ମସିହା ସିନିୟର ନ୍ୟାସନାଲ ଟୁର୍ନାମେଣ୍ଟ ଖେଳିବା ପରେ ଦୀପ ଗ୍ରେସ୍  ଆଉ ପଛକୁ ଅନେଇ ନଥିଲେ। ସେ ୨୦୧୧ରେ ରାଞ୍ଚିଠାରେ ଅନୁଷ୍ଠିତ ହୋଇଥିବା  ନ୍ୟାସନାଲ ଗେମ୍ସରେ ଖେଳିଥିଲେ। ଏହାପରେ ସେ ଜାତୀୟ ଜୁନିୟର ଦଳରେ ସାମିଲ ହୋଇ ବ୍ୟାଂକକ୍ ଜୁନିଅର ଏସିଆ କପରେ ଖେଳିଥିଲେ।

ଦୀପ ଗ୍ରେସ୍ ୨୦୧୩ ମସିହା ଜୁନିୟର ୱାର୍ଲ୍ଡ କପରେ ଭାରତ ପାଇଁ ଖେଳିଥିଲେ। ଏହି ପ୍ରତିଯୋଗିତାରେ ଭାରତ ବ୍ରୋଞ୍ଜ ମେଡାଲ ହାସଲକରି ଇତିହାସ ରଚିଥିଲା। ଏହାପରେ ୨୦୧୩ ମସିହା କୁଆଲାଲମପୁର ଏସିଆ କପରେ ଜାତୀୟ ସିନିୟର ଦଳରେ ଖେଳି ଭାରତ ପାଇଁ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ।

ସେ ୨୦୧୪ ମସିହା ଦକ୍ଷିଣ କୋରିଆର ଇଞ୍ଚନ ଏସିଆନ ଗେମ୍ସରେ ଖେଳି ଭାରତ ପାଇଁ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ୨୦୧୬ ରେ ହୋଇଥିବା ଏସିଆନ ଚାମ୍ପିଆନ୍ସ ଟ୍ରଫିରେ ଖେଳି ସେ ଭାରତକୁ ଗୋଲ୍ଡ ମେଡାଲ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ।

ନିଜର ଉତ୍ତମ ପ୍ରଦର୍ଶନ ପାଇଁ  ଦୀପ ଗ୍ରେସ୍ ୨୦୧୬ ମସିହା ରିଓ ଅଲିମ୍ପିକସ୍ ପାଇଁ ଜାତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୭ ମସିହାରେ ଜପାନର ଗିଫୁ ଏସିଆ କପରେ ତାଙ୍କର ଉତ୍ତମ ପ୍ରଦର୍ଶନ ଭାରତକୁ ଗୋଲ୍ଡ ମେଡାଲ ଜିତାଇବାରେ ସହାୟକ ହୋଇଥିଲା।

ଦୀପ ଗ୍ରେସ୍ ୨୦୨୧ ଟୋକିଓ ଅଲିମ୍ପିକସରେ ଭାରତର ଉପ-ଅଧିନାୟକ ଚୟନ ହୋଇଥିଲେ। ଏହି ଅଲିମ୍ପିକସରେ ସେ ନିଜର  ଡିଫେଣ୍ଡିଂ ଜରିଆରେ ଭାରତ ପାଇଁ ବହୁତ ଗୋଲ ବଞ୍ଚାଇ ପାରିଥିଲେ। ଟୋକିଓ ଅଲିମ୍ପିକସରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିବା ଏକ ଗୌରବର କଥା ଥିଲା।

ଦୀପ ଗ୍ରେସ୍ ଏକ୍କା  ତାଙ୍କ ହକି କ୍ୟାରିୟରରେ ଚାମ୍ପିଆନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଏବଂ ହକି ବିଶ୍ଵକପ ଭଳି ବହୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳିଛନ୍ତି। ଏହାଛଡା ସେ ୨୦୧୮ ଓ ୨୦୨୨ କମନୱେଲଥ୍ ଗେମ୍ସରେ ଭାରତୀୟ ଦଳରେ ସାମିଲ ଥିଲେ। ସେ ନିଜ ଖେଳ ମାଧ୍ୟମରେ ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ସୁନାମ ।

କ୍ରୀଡ଼ା କ୍ଷେତ୍ରରେ ନିଜର ଯୋଗଦାନ ପାଇଁ  ଦୀପ ଗ୍ରେସ୍ ଏକ୍କା  ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ନିକଟରେ ୨୦୨୨ ମସିହା ଅର୍ଜୁନ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। ଓଡ଼ିଶା ସରକାର ମଧ୍ୟ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି।

Tags: #Deepgresekka #Odisha #Sports #Nationalsportsawards #Arjunaward

Comment