ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ମିଳିଲା ସାଇକେଲ। ଗୁରୁବାର ଦିନ ଲୋକସେବା ଭବନଠାରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮,୦୦୦ ସଦ୍ୟସ୍ୟାଙ୍କୁ ସାଇକେଲ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ସଦସ୍ୟାମାନେ ଜଳ ସାଥୀ, ଆହାର କର୍ମୀ, ସ୍ଵଚ୍ଛକର୍ମୀ, ସ୍ଵଚ୍ଛସାଥୀ, ସ୍ଵଚ୍ଛ ସପରଭାଇଜର ଭାବେ ଦାୟିତ୍ଵ ତୁଲାଉଛନ୍ତି। ଏଣିକି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦ୍ୟସ୍ୟାମାନଙ୍କ ଯାତାୟତ ସହଜ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମା’ମାନେ ବହୁତ ଭଲ କାମ କରୁଛନ୍ତି। ଏହା ଆଗକୁ ଜାରି ରହିବା ଜରୁରୀ। ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯିବା ସମୟରେ ମିଶନ ଶକ୍ତିର ମା’ମାନଙ୍କ ସଫଳତା ଦେଖୁଛି। ସେମାନଙ୍କ ଆତ୍ମବିଶ୍ୱାସ ଏବଂ ଉତ୍ସାହ ଯୋଗୁଁ ମିଶନ ଶକ୍ତି କାର୍ଯ୍ୟକ୍ରମ ସଫଳତାର ଶୀର୍ଘରେ ପହଞ୍ଚି ପାରିଛି।”

ବିଭିନ୍ନ ସହରରେ ମା’ମାନେ ଅନେକ ଦାୟିତ୍ୱ ନେଇଛନ୍ତି। ସେମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଆଜି ୮,୦୦୦ରୁ ଅଧିକ ମା’ମାନେ ସାଇକେଲ ପାଇବା ଦ୍ୱାରା ସେମାନଙ୍କର କାମ ଆହୁରି ସହଜ ହେବା ସହ ଯାତାୟତରେ ମଧ୍ୟ ସୁବିଧା ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ମା’ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ପ୍ରଦାନ କରାଯାଇଛି। ଓଡ଼ିଶା ଏବେ ବିଶ୍ୱସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିରେ ମିଶନ ଶକ୍ତିମାନଙ୍କର ଅବଦାନ ଯଥେଷ୍ଟ ରହିଛି। ଆହୁରି ଭଲ କାମ କରି ଓଡ଼ିଶାର ସମ୍ମାନ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Tags: #CMOdisha #NaveenPatnaik #Cycle #WSHGMember

Comment