ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଏଣିକି ସ୍କୁଲ ବାରଣ୍ଡାରେ ଗାଡିମୋଟର ରଖିପାରିବେନି ଶିକ୍ଷକ, ଶିକ୍ଷୟିତ୍ରୀ। ଏହା ଦ୍ଵାରା ସ୍କୁଲ ଶୃଙ୍ଖଳା ଭାଙ୍ଗୁଛି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। କଟକ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ସ୍କୁଲ୍ ପରିବେଶକୁ ମନେ ପକାଇଲେ ଜଣାପଡେ, ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ଗାଡିମୋଟର କେଉଁଠି ରହୁଛି। ପ୍ରାୟ ଶିକ୍ଷକ-ଶିକ୍ଷୟିତ୍ରୀ ପାର୍କିଂରେ ନରଖି ସ୍କୁଲ୍ ବାରଣ୍ଡାରେ ଆଣି ରଖିଥାନ୍ତି। ଯାହାଫଳରେ ବାରଣ୍ଡା ଦେଇ ଯାତାୟତ ବାଧାପ୍ରାପ୍ତ ହୁଏ। ତେବେ ଏଭଳି ଏକ ସାଧାରଣ ଘଟଣାକୁ ନେଇ ଶିକ୍ଷା ବିଭାଗ ଚିନ୍ତା କରିବା ବେଶ୍ କୌତୁହଳ ସ୍ଥିତି ସୃଷ୍ଟି କରିଛି। ସ୍କୁଲ ଶୃଙ୍ଖଳା ଗୁରୁତ୍ୱ ଦେଇ ଏଭଳି ଆଚରଣ ଆଗକୁ ନକରିବାକୁ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ କୁହାଯାଇଛି।

ଏନେଇ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ନମ୍ବର ୨୦୭୨୬ରେ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଶିକ୍ଷାଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟର ବାରଣ୍ଡାରେ ଏଣିକି କେଉଁ ଶିକ୍ଷକମାନେ ସେମାନଙ୍କ ଯାନବାହାନ ରଖିପାରିବେନାହିଁ। ଯାନବାହାନ ରଖିବା ଦ୍ଵାରା ବାରଣ୍ଡା ନଷ୍ଟ ହେଉଛି। ଏହାସହ ଛାତ୍ରଛାତ୍ରୀମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି।
ଶିକ୍ଷକମାନେ ଏପରି କରିବା ଦ୍ଵାରା ବିଦ୍ୟାଳୟର ଶୃଙ୍ଖଳା ନଷ୍ଟ ହେଉଛି ବୋଲି ଦର୍ଶାଇ କଟକ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଶିକ୍ଷା ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି।
















