ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳଠାରେ ଏକ ଆଲୁମିନିୟମ ପାର୍କ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଯେଉଁ ପ୍ରସ୍ତାବ ଯାଇଥିଲା, ତାହାକୁ ମୋଦି ସରକାର ପ୍ରତ୍ୟାଖାନ କରିଦେଇଛନ୍ତି। ଏହି ପାର୍କ ପ୍ରତିଷ୍ଠା ହେଲେ ପୁଞ୍ଜି ଆସିବ ଓ ନିଯୁକ୍ତି ସୁବିଧା ସୃଷ୍ଟି ହେବ ବୋଲି ଓଡ଼ିଶା ସରକାର ଯୁକ୍ତି କରିଥିଲେ। ତେବେ ଏହି ପ୍ରକଳ୍ପ କାମ ଆଗେଇ ନଥିବାରୁ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହାକୁ ଆଗେଇ ନେବା ଅସମ୍ଭବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଲେ ଯେ, ପ୍ରକଳ୍ପର ମନ୍ଥର ଗତି ଯୋଗୁଁ ଏହି ପାର୍କ ପ୍ରତିଷ୍ଠା ସମ୍ଭବ ନୁହେଁ। ମନ୍ତ୍ରୀ ଗୋଏଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଏଜେନ୍ସିକୁ ଏଥିପାଇଁ ଅର୍ଥ ଦିଆଯାଇଥିଲା ସେହି ଅର୍ଥକୁ କେନ୍ଦ୍ରକୁ ଫେରାଇବା ପାଇଁ କୁହାଯାଇଛି। ୨୨୩ ଏକର ଜମିରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚରେ ଆଲୁମିନିୟମ ପାର୍କ ପ୍ରତିଷ୍ଠା ହେବାର ଯୋଜନା ଥିଲା।












