ଓଡ଼ିଶାଲାଇଭ୍ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋ ୨୦୧୭-୧୮ ଆର୍ଥିକ ବର୍ଷରେ ସଫଳତା ହାସଲ କରିଛି। ୧୦ ବର୍ଷ ମଧ୍ୟରେ ସର୍ବାଧିକ ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ହାସଲ କରିଛି। ଏହା  ଗତ ବର୍ଷର ନିଟ୍ ଲାଭ ୬୬୯ କୋଟି ଟଙ୍କା ତୁଳନାରେ ୧୦୦ ପ୍ରତିଶତରୁ ଅଧିକ। ଚତୁର୍ଥ ତ୍ରୈମାସିକୀରେ କମ୍ପାନିର ନିଟ୍ ଲାଭ ୨୫୭.୦୬ କୋଟି ଟଙ୍କା ହୋଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଲ୍‌କୋ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ନାଲ୍‌କୋ ପକ୍ଷରୁ ବାର୍ଷିକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କମ୍ପାନିର ବିଭିନ୍ନ ସଫଳତା ସମ୍ପର୍କରେ ସୂଚନା ଦିଆଯାଇଛି। ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କମ୍ପାନି ହାସଲ କରିଥିବା ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ଚଳିତ ବର୍ଷ ନାଲ୍‌କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି।  ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନିର ମୋଟ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇଛି। ବିଗତ ବର୍ଷ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ। ସେହିପରି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନି ୪,୦୭୬ କୋଟି ଟଙ୍କା ପାଇଛି।

ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “୨୦୧୭-୧୮ ଆର୍ଥିକ ବର୍ଷ ଆମ ପାଇଁ ଅନେକ ସଫଳତା ଆଣିଦେଇଛି। କମ୍ପାନି ସମସ୍ତ ଦିଗରେ ଉନ୍ନତି ହାସଲ କରିଛି। ରେକର୍ଡ ପରିମାଣର ଉତ୍ପାଦ, ସର୍ବାଧିକ ବିକ୍ରୟ ଏବଂ ଟର୍ଣ୍ଣଓଭରରେ ବିଶେଷ ସଫଳତା ମିଳିଛି। ନାଲ୍‌କୋର ନୂତନ ବ୍ୟବସାୟିକ ଯୋଜନା କମ୍ପାନିର ନିଟ୍ ଲାଭରେ ୯୩୫ କୋଟି ଟଙ୍କା ଅଭିବୃଦ୍ଧି ଆଣିବ ବୋଲି ଆଶା ରହିଛି।”

୨୦୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକୀ ଶେଷ ସୁଦ୍ଧା ୧ ନିୟୁତ ଟନ୍ ଆଲୁମିନା ରିଫାଇନେରୀର କାର୍ଯ୍ୟାରମ୍ଭ, ୱାୟାର୍ ରଡ୍ ମିଲ୍ ୩ର ପ୍ରତିଷ୍ଠା, କଷ୍ଟିକ୍ ସୋଡା ପ୍ଲାଣ୍ଟ ଏବଂ ସିଟି ପିଚ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ।

ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ତଥା ଆନ୍ତର୍ଜାତିକ ବଜାରରେ ପ୍ରତଦ୍ୱନ୍ଦିତାମୂଳକ ସ୍ଥାନ ହାସଲ କରିବା ପାଇଁ  ନାଲ୍‌କୋ ଭଳି ବୃହତ୍ ପ୍ରକଳ୍ପକୁ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଛି ବୋଲି ଡକ୍ଟର ଚାନ୍ଦ କହିଥିଲେ। ଅନୁଗୁଳ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ସୂଚନା ଦେଇଥିଲେ।

ଉଚ୍ଚ ଗୁଣାତ୍ମକମାନ ଯୁକ୍ତ ଉତ୍ପାଦର ପ୍ରସ୍ତୁତି ପାଇଁ ନାଲ୍‌କୋ ଯୁକ୍ତରାଷ୍ଟ୍ର ଆମେରିକାର ଆଲ୍ମେକ୍ସ ସହ ବୁଝାମଣା କରୁଛି। କ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନାଲ୍‌କୋ ପକ୍ଷରୁ ଆଲୁମିନିୟମ୍ ଇନଗଟ ଯୋଗାଣ ଏବଂ ସେମାନଙ୍କ ଠାରୁ ଉତ୍ପାଦ ଆଣି ମାର୍କେଟିଂ କରିବା ପାଇଁ ଏକ କ୍ୟାସ୍ ଲେସ୍ ମଡେଲ୍ ପ୍ରସ୍ତୁତ କରାଯାଉଛି। ଏହା ଦ୍ୱାରା ଓଡ଼ିଶାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ବିକାଶ ସାଧନ ହେବା ସହ ବ୍ୟବସାୟିକ ପରିବେଶର ଅଭିବୃଦ୍ଧି ଘଟିବ ବୋଲି ଡକ୍ଟର ଚାନ୍ଦ କହିଛନ୍ତି।

Comment