ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ବିହାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ
  • ଆଇଭିଆର୍‌ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ
  • କରୋନା ସମ୍ପର୍କରେ ଜାଣିବା ପାଇଁ ମୋବାଇଲ୍‌ ନମ୍ବର ୯୨୬୬୬୫୭୩୩୩
  • ଲୋକଙ୍କୁ ଗୁଜବ ତଥ୍ୟଠାରୁ ଦୂରେଇ ରଖିବା, ସଠିକ୍‌ ସୂଚନା ଦେବା ମୁଖ୍ୟ ଉଦ୍ଦେଶ୍ୟ

କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ ସଙ୍ଗଠନ କ୍ରାଏ ଏବଂ ଗ୍ରାମବାଣୀର ମିଳିତ ସହଯୋଗରେ ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି।ଆଇଭିଆର୍‌ ଟେକ୍ନୋଲୋଜି ସହାୟତାରେ ପ୍ରସ୍ତୁତ କରାଯାଇଥିବା ‘ମୋବାଇଲ ବାଣୀ’ ମାଧ୍ୟମରେ ତୃଣମୂଳ ସ୍ତରର ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଛି।

‘ଓଡ଼ିଶା ଏବଂ ବିହାରର ବିଭିନ୍ନ ଜିଲ୍ଲାରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ଏକ ମୋବାଇଲ ନମ୍ବର ୯୨୬୬୬୫୭୩୩୩ ପ୍ରଚଳନ କରାଯାଇଛି। ଏହି ନମ୍ବରକୁ କଲ୍‌ କରି ଲୋକେ କୋଭିଡ୍‌-୧୯ ସମ୍ପର୍କିତ ଅଧିକ ସୂଚନା ପାଇପାରିବେ। ମାର୍ଚ୍ଚ ୨୦ରୁ ୨୫ ତାରିଖ ଭିତରେ ୯୬୧ ଲୋକ ଏହି ନମ୍ବରକୁ କଲ୍‌ କରିଥିଲେ। ସେଥିମଧ୍ୟରୁ ୧୧ ଜଣ ଲୋକଙ୍କର ମୂଲ୍ୟବାନ ମନ୍ତବ୍ୟ ରେକର୍ଡ କରାଯାଇଥିଲା।

ଓଡ଼ିଶାର କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୋଲାଙ୍ଗୀର ଏବଂ ବରଗଡ ଜିଲ୍ଲାରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା।

କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ପ୍ରଚାର ହେଉଥିବା ଗୁଜବ ତଥ୍ୟଠାରୁ ଲୋକଙ୍କୁ ଦୂରେଇ ରଖିବା, ଲୋକଙ୍କୁ ସଠିକ୍‌ ସୂଚନା ପ୍ରଦାନ କରିବା, ନମୁନା ପରୀକ୍ଷା ସମ୍ପର୍କରେ ସଚେତନ କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି।

corona‘‘କୋଭିଡ୍‌-୧୯କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି। ଏହି ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସଚେତନ କରିବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ। ଲୋକେ କରୋନା ଭାଇରସ୍‌ ସମ୍ପର୍କରେ ଜାଣିବେ ଏବଂ କିପରି ସଚେତନ ରହିବେ ସେଥିପାଇଁ ଆମେ ଓଡ଼ିଶା ଏବଂ ବିହାରର ବିଭିନ୍ନ ଜିଲ୍ଲାରେ ବ୍ୟାପକ ପଦକ୍ଷେପ ନେଇଛୁ’’, କହିଛନ୍ତି କ୍ରାଏ ପୂର୍ବାଞ୍ଚଳ ନିର୍ଦ୍ଦେଶିକା ତ୍ରିନା ଚକ୍ରବର୍ତ୍ତୀ।

ଯେଉଁମାନେ କୋଭିଡ୍‌-୧୯ ବିଷୟରେ ଆଦୌ ସଚେତନ ନାହାନ୍ତି ସେମାନଙ୍କୁ ସଚେତନ କରିବା ପାଇଁ ଆଇଭିଆର୍‌ ଟେକ୍ନୋଲୋଜିର ସହଯୋଗ ନିଆଯାଇଛି। ଲକ୍‌ଡାଉନ୍‌, ସାମାଜିକ ଦୂରତା, କରୋନାର ଲକ୍ଷଣ ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ କରଯାଇ ପାରୁଛି। ବିଶେଷକରି ଶ୍ରମିକମାନଙ୍କୁ କରୋନାର ଭୟାବହତା ସମ୍ପର୍କରେ ଏହି ଟୋକ୍ନୋଲୋଜି ସଚେତନ କରିବାରେ ସମର୍ଥ ହୋଇଛି।

Comment