ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପାଖାପାଖି ୩ ବର୍ଷ ପରେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଣିକି କୋଭିଡ୍‌-୧୯ ଏକ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେବ ନାହିଁ। ଏହାକୁ ବିଶ୍ଵ ମହାମାରୀ ତାଲିକାରୁ ବାଦ ଦିଆଯାଇଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ଘୋଷଣା କରାଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ବିଶେଷଜ୍ଞମାନଙ୍କ ସହ ଅଲୋଚନା କରି ଏହି ପଦକ୍ଷେପ ନେଇଛି।

“ବିଶ୍ଵରେ ବର୍ଷେ ହେବ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏବେ ଅନେକ ଦେଶରେ ସ୍ଵାଭାବିକ ସ୍ଥିତି ଫେରି ଆସିଲାଣି। ତେଣୁ ଆମେ କୋଭିଡ୍-୧୯କୁ ଆଉ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ କରିବୁ ନାହିଁ। ଅନ୍ୟପଟେ ଏବେ କୋଭିଡ୍ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ। କୋଭିଡ୍ ଭୂତାଣୁ ନିଜ ରୂପ ବଦଳାଇ ପୁଣି ସମସ୍ୟା ସୃଷ୍ଟି କରିବାର ଭୟ ରହୁଛି। ଯଦି କୋଭିଡ୍ ପୁଣିଥରେ ପୁରୁଣା ଅବସ୍ଥାକୁ ଆସେ, ଆମେ ସେ ବିଷୟରେ ବିଶେଷଜ୍ଞଙ୍କ ସହ ଅଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବୁ”, କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡାକ୍ତର ଟେଡ୍ରୋସ୍ ଆଧାନୋମ୍ ଗେବ୍ରେଏସ୍।

ଏବେ କରୋନା ଏକ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ନ ରହିଲେ ମଧ୍ୟ କରୋନା ପ୍ରତି ସଚେତନ ରହିବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କରୋନାର ମାମଲା ପୁଣି ବଢ଼ିଲେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସଂଗଠନ କହିଛି।

୨୦୧୯ ମସିହା ଶେଷ ବେଳକୁ ଚୀନର ହୁବେ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ଏହା ଦ୍ରୁତ ଗତିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିଥିଲା। ୨୦୨୦ ମସିହା ଜାନୁଆରି ୩୦ ତାରିଖରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ବିଶ୍ଵ ଜରୁରୀ ସ୍ଵାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରିଥିଲା। ଏହାପରେ ମାର୍ଚ୍ଚ ୧୧ ତାରିଖରେ ଏହା ଏକ ମହାମାରୀ ବୋଲି ଘୋଷଣା କରଯାଇଥିଲା।

ବିଶ୍ଵବ୍ୟାପୀ ପ୍ରାୟ ୭୫ କୋଟିରୁ ଅଧିକ ଲୋକ ଏହି କୋଭିଡ୍-୧୯ରେ ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭାରତରେ ମଧ୍ୟ ସାଢ଼େ ୪ କୋଟିରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଏବେ ସୁଦ୍ଧା ଦେଶରେ ୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କ କରୋନାଜନିତ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Covid-19 #Pandemic #WorldHealthEmergency #WHO

LEAVE A REPLY

Please enter your comment!
Please enter your name here