ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏବେ ପ୍ରତିଦିନ କୋଭିଡ୍-୧୯ ମମାଲା ବଢ଼ିବାରେ ଲାଗିଛି। ଦେଶରେ ପାଞ୍ଚ ମାସ ପରେ ଦୈନିକ କୋଭିଡ୍ ସଂକ୍ରମଣ ୪ ହଜାର ପାର କରିଛି। ବୁଧବାର ଭାରତରେ ୪,୪୩୫ଟି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ସକ୍ରିୟ କୋଭିଡ୍ ମାମଲା ୨୩ ହଜାର ୯୧ରେ ପହଞ୍ଚିଛି। ଏହା ବ୍ୟତୀତ ମଙ୍ଗଳବାର କୋଭିଡ୍ ଯୋଗୁଁ ୧୫ ଜଣ ମୃତ୍ୟୁବରଣ କରିଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଓଡ଼ିଶାରେ ୬୮ଟି ନୂଆ କୋଭିଡ୍ ମମାଲା ଆସିଥିବାବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଓଡ଼ିଶାରେ କୋଭିଡର ସକ୍ରିୟ ମମାଲା ୨୯୨ରେ ପହଞ୍ଚିଛି।

ବୁଧବାର ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟରେ ପୂର୍ବଦିନ ଅପେକ୍ଷା ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ଏହି ସଂଖ୍ୟା ୩,୬୪୧ ଥିଲା। ଅନ୍ୟପଟେ ମଙ୍ଗଳବାର ୨,୫୦୮ ଜଣ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଥିଲେ।

ଏବେ ଦେଶରେ କୋଭିଡ୍-୧୯ର ଦୈନିକ ସଂକ୍ରମଣ ହାର ୩.୩୮ ପ୍ରତିଶତ ରହିଛି। ସେହିଭଳି ସାପ୍ତାହିକ ସଂକ୍ରମଣ ହାର ୨.୭୯ ପ୍ରତିଶତ ରହିଛି। ଅନ୍ୟପଟେ ଏବେ ଦେଶରେ କୋଭିଡର ‘ରିକଭରି ରେଟ୍’ ୯୮.୭୬ ପ୍ରତିଶତ ରହିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବୁଧବାର ଭାରତର ବିଭିନ୍ନ ରାଜ୍ୟରେ ୧ ଲକ୍ଷ ୩୧ ହଜାର ୮୬ ଟି ନମୁନା ପରୀକ୍ଷା କରାଇଥିଲେ। ଏବେ ଦେଶର ବଡ଼ ବଡ଼ ସହରରେ କୋଭିଡ୍ ମମାଲା ବଢ଼ୁଥିବାର ଲକ୍ଷ୍ୟ କରାଯାଇଛି। ଏହା ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Tags: #Covid-19 #CovidCases #Positivityrate #CentralHealthMinistry

Comment