ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପୁଣି ଚିନ୍ତା ବଢ଼ାଉଛି କୋଭିଡ୍‌-୧୯। ସାରା ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତରେ ସକ୍ରିୟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୨,୩୧୧ ଥିବାବେଳେ ବୁଧବାର ଏହା ୨,୬୬୯କୁ ବୃଦ୍ଧି ପାଇଛି। ସେହିପରି ୨୦୨୦ ମସିହାରୁ ଏ ଯାଏଁ ଦେଶରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୩ ହଜାର ୩୨୭ରେ ପହଞ୍ଚିଛି। ସେହିପରି ବୁଧବାର ୨୩୦ ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବୁଧବାର ଦିନ ନୂଆଦିଲ୍ଲୀ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡ୍ଡୁଚେରୀ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାରେ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ କେରଳରେ ସର୍ବାଧିକ ୩୦୦ ଜଣ କୋଭିଡ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ତେବେ କେରଳରେ ବୁଧବାର ୩ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ ସକ୍ରିୟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୪୧ରେ ପହଞ୍ଚିଥିବାରୁ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଦେଶରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାବଧାନତା ଅବଲମ୍ବନ କରିବା ଲାଗି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ କୋଭିଡ୍ ପରୀକ୍ଷାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ରହିଛି।

ଏବେ ଭାରତରେ କୋଭିଡ୍‌-୧୯ ଭୂତାଣୁର ‘ଜେଏନ୍‌.୧’ ଭାରିଏଣ୍ଟ ଯୋଗୁଁ ସକ୍ରିୟ ମାମଲା ବୃଦ୍ଧି ପାଉଛି। ଏହି ଭାରିଏଣ୍ଟ ଡିସେମ୍ବର ମାସ ଆରମ୍ଭରେ କେରଳର ଜଣେ ୭୯ ବର୍ଷୀୟ ବୃଦ୍ଧାଙ୍କଠାରେ ଚିହ୍ନଟ କରାଯାଇଥିଲା।

Tags: #Covid-19 #JN1Variant #CovidCases #CoronaVirus #HealthCare #MoHFW #India

LEAVE A REPLY

Please enter your comment!
Please enter your name here