ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଓଡ଼ିଶାର ସବୁ ଡାକ୍ତରଖାନାରେ ପୁଣିଥରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏବେ ଡାକ୍ତରଖାନାଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସମସ୍ତ ଡାକ୍ତର, ନର୍ସ ତଥା ଅନ୍ୟ ସବୁ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଏଥିସହ ଡାକ୍ତରଖାନାର ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଏହାଛଡ଼ା ଡାକ୍ତରଖାନାକୁ ଆସୁଥିବା ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଏହି ମାସ୍କ ପିନ୍ଧିବା ନେଇ ହୋଇଥିବା ନିର୍ଦେଶକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାର ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମେଡିକାଲ କଲେଜର ଅଧିକ୍ଷକଙ୍କୁ ପଠାଯାଇଛି।

ଅନ୍ୟପଟେ ଏବେ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାଜ୍ୟରେ ଏବେ ସୀମାବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡ଼ା ଆଦିରେ କୋଭିଡ୍ ସଂକ୍ରମଣ ଅଧିକ ରହୁଛି।

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯୩ଟି ନୂଆ କୋଭିଡ୍ ମମାଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି।

Tags: #Covid-19 #Mask #Hospitals #H&FWDept #Odisha

LEAVE A REPLY

Please enter your comment!
Please enter your name here