ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧ ଭାରତରେ ଚିହ୍ନଟ ହୋଇଥିବାରୁ ଏହାକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ବୁଧବାର ଦିନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଵାସ୍ଥ୍ୟମନ୍ତ୍ରୀ ଏବଂ ସଚିବଙ୍କ ସହ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବୈଠକ କରିଛନ୍ତି। ଆଗକୁ କ୍ରିସମାସ ଏବଂ ନୂଆ ବର୍ଷ ଲାଗି କାର୍ଯ୍ୟକ୍ରମ ଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କୋଭିଡକୁ ନେଇ ଅତଙ୍କିତ ନ ହୋଇ ସତର୍କ ରହିବାକୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭିଡ଼କୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ବୟସ୍କ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଡିଡ଼ଠାରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇି।

କୋଭିଡ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଡାକ୍ତରଖାନାଗୁଡ଼ିକରେ ମକଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ତିନି ମାସରେ ଥରେ ସମସ୍ତ ଡାକ୍ତରଖାନାରେ ମକଡ୍ରିଲ କରିବାକୁ ସ୍ଵସ୍ଥ୍ୟମନ୍ତ୍ରୀ କହିଛନ୍ତି।

କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧ କେରଳ, ଗୋଆ ଏବଂ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ଦେଶରେ କୋଭିଡର ସକ୍ରିୟ ମାମଲା ୨,୩୧୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୧ ଜଣଙ୍କଠାରେ ନୂଆ ଭାରିଏଣ୍ଟ ଜେଏନ-୧ ଚିହ୍ନଟ ହୋଇଛି। ୨୪ ଘଣ୍ଟା ମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୬ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Covid19 #Corona #CovidCases #ReviewMeeting

Comment