ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କୋଭିଡକୁ ନେଇ ଚିନ୍ତା ଆରମ୍ଭ ହୋଇଛି। ସୋମବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୩୩୫ ଜଣଙ୍କଠାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ କେରଳର ୪ ଜଣ ଓ ଉତ୍ତରପ୍ରଦେଶର ଜଣେ ରହିଛନ୍ତି। କୋଭିଡର ଏହି ନୂଆ ଭାରିଏଣ୍ଟ ହେଉଛି ଜେଏନ-୧। କେରଳରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି।

କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧ ଭାରତରେ ମିଳିଥିବାରୁ କୋଭିଡକୁ ନେଇ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସବୁ ରାଜ୍ୟର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି।

ଏହା ସହ ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆରଟି ପିସିଆର ଟେଷ୍ଟ ସହ ପଜିଟିଭକୁ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଇବା ଲାଗି ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଦେଶରେ କୋଭିଡ ସକ୍ରିୟ ମାମଲା ୧,୭୦୧ରେ ପହଞ୍ଚିଛି। କେରଳରେ ସଂକ୍ରମଣ ବଢ଼ୁଛି। ନୂଆବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଥିବାରୁ ସବୁ ରାଜ୍ୟକୁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

କୋଭିଡ ସଂକ୍ରମଣ ବଢ଼ୁଥିବାରୁ ବୟସ୍କଙ୍କୁ ଭିଡ଼ଠାରୁ ଦୂରରେ ରହିବାକୁ କୁହାଯାଇଛି। ଅସୁସ୍ଥ ଥିବା ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି କର୍ଣ୍ଣାଟକ ସରକାର।

Tags: #Covid19 #JN1Variant #India # Precaution #HealthCare  

Comment