ଓଡ଼ିଶାଲାଇଭ୍ ବ୍ୟୁରୋ

covid testing centers-2

ଭାରତରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ୩,୪୨୦ଟି କୋଭିଡର ସକ୍ରିୟ ମାମଲା ରହିଛି। କୋଭିଡକୁ ନେଇ ଭୟଭୀତ ନହୋଇ ସତର୍କ କରିବା ଲାଗି ଲୋକଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

“ଚିନ୍ତା ବଢ଼ାଇବ ଜେଏନ-୧!”

କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଜେଏନ-୧କୁ ଓମିକ୍ରନର ଏକ ସବ୍ ଭାରିଏଣ୍ଟ ବୋଲି ବିଶ୍ଵ ସ୍ଵସ୍ଥ୍ୟା ସଂଗଠନ ପକ୍ଷରୁ କୁହାଯାଇଛି। ଜେଏନ-୧ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଆଗକୁ ଏହା ଚିନ୍ତା ବଢ଼ାଇପାରେ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆଶଙ୍କା କରିଛି।

ଓଡ଼ିଶାରୁ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କୋଭିଡ ଅକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଓଡ଼ିଶାରେ ଡିସେମ୍ବର ୩ ତାରିଖରେ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ ସଂକ୍ରମଣକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

ଭିଡ଼ଠାରୁ ଦୂରେଇ ରହିବା ସହ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ବିଶେଷ କରି ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ରୋଗୀ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବାକୁ ସ୍ଵସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

କେରଳରେ ମାଡ଼ୁଛି କୋଭିଡ

ଦେଶରେ କୋଭିଡ ମାମଲା ବଢ଼ୁଥିବାବେଳେ କେରଳରେ ସର୍ବାଧିକ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। ଦେଶର ୧୭ଟି ରାଜ୍ୟକୁ କୋଭିଡ ମାଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୬୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କର୍ଣ୍ଣାଟକରେ ୭୦, ମହାରାଷ୍ଟ୍ରରେ ୧୫, ତାମିଲନାଡ଼ୁରେ ୧୩  ଏବଂ ଗୁଜରାଟରେ ୧୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ କେରଳର ୨ ଜଣ, କର୍ଣ୍ଣାଟକ ଏବଂ ରାଜସ୍ଥାନର ଜଣେ ଜଣେ ରହିଛନ୍ତି।

Tags: #Covid19 #CovidVirus #JN1 #India #Odisha #Infection

Comment