ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ଜେଏନ.୧। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଜଣ କୋଭିଡ ଆକ୍ରାନ୍ତଙ୍କଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।। ବର୍ତ୍ତମାନ ଦୁଇଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ସେ କହିଛନ୍ତି।

ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣେ ଭୁବନେଶ୍ଵରର। ରାଜ୍ୟରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।

ଏପଟେ କୋଭିଡକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ଲକ୍ଷଣ ଥିଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ ସେ କହିଛନ୍ତି। ପଜିଟିଭ ଆସିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେବାକୁ କୁହାଯାଇଛି।

ଓଡ଼ିଶାରେ କୋଭିଡ ମାମଲା ଆସିବା ପରେ ଆକ୍ରାନ୍ତଙ୍କ ନମୁନା ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯାଇଥିଲା। ସେଥିରୁ ଦୁଇଜଣଙ୍କଠାରେ ଜେଏନ୍.୧ ଭାରିଏଣ୍ଟ ଦେଖିବାକୁ ମିଳିଥିଲା। ଉଭୟ ଆକ୍ରାନ୍ତ କେରଳରୁ ଫେରିଥିବା ଜଣାପଡ଼ିଛି।

ରାଜ୍ୟରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। କିନ୍ତୁ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି। ଚଳିତ ବର୍ଷ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ହୋଇନଥିବା କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ।

କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ବେଡ ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଥିବା ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି। ସମସ୍ତଙ୍କୁ ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି।

Tags: #Covid19 #CoronaVirus #JN1Variant #Odisha #HealthCare

LEAVE A REPLY

Please enter your comment!
Please enter your name here