ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଜନସ୍ୱାସ୍ଥ୍ୟ ବିଭାଗ।

ରାଜ୍ୟରେ ବଢ଼ୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖି ଅବଗତ କରାଯାଇଛି। ସର୍ଭେଲାନ୍ସ, ଟେଷ୍ଟିଂ ଓ କୋଭିଡ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଆଗକୁ ନୂଆବର୍ଷ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବେଡ ଏବଂ ସ୍ଵତନ୍ତ୍ର ଅକ୍ସିଜେନ ସଂଯୋଗ ଥିବା ବେଡ ପ୍ରସ୍ତୁତ ରଖିବା ସହ ଡାକ୍ତରକାନାଗୁଡ଼ିରେ ଟେଷ୍ଟିଂ କିଟ୍ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ସହ ସହଯୋଗ ରକ୍ଷା କରି ଏ ଦିଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। କୋଭିଡ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

କୋଭିଡ ପରୀକ୍ଷା କିମ୍ବା ଚିକିତ୍ସା ସୁବିଧା ନଥିବା ନେଇ ଯେପରି ଅଭିଯୋଗ ନଆସେ ସେଥିପ୍ରତି ଯତ୍ନବାନ ହେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ ରହିବା ଲାଗି କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କୋଭିଡ ସତର୍କତା ନେଇ କେନ୍ଦ୍ରର ଚିଠି ପରେ ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଯାଇଛି।

ସେହିପରି ଆଇସିଏମଆର ନିର୍ଦ୍ଦେଶାବଳୀ ଆଧାରରେ ଇଲି/ ସାରି ସର୍ବେକ୍ଷଣ ବୃଦ୍ଧି କରିବାକୁ କୁହାଯାଇଛି। କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତି ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ଆବଶ୍ୟକତା ଅନୁସାରେ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। କୋଭିଡ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ ମୁକାବିଲା ଲାଗି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦେବା ଲାଗି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି କୋଭିଡ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡ ଲକ୍ଷଣ ଥିଲେ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବାକୁ କୁହାଯାଇଛି। ନିୟମିତ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଛ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡିସେମ୍ବର ମାସରେ ଓଡ଼ିଶାରେ ମୋଟ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ୧୩ଟି ସକ୍ରିୟ ମାମଲା ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଆଗକୁ କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Tags: #Covid19 #CoronaVirus #HealthCare #Odisha #CovidGuideline #PublicheathDepartment

LEAVE A REPLY

Please enter your comment!
Please enter your name here