ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଲମ୍ବିଛି ଶିଶୁ ନିର୍ଯାତନାର କାହାଣୀ।

ମାତ୍ର ୫ ବର୍ଷର ହୋଇଥିଲା। ମାଆ ପୋଷି ନ ପାରି, ୩ ହଜାର ଟଙ୍କାରେ ବିକିଦେଲା। ଏ ହାତରୁ ସେ ହାତ… ଏମିତି ୩ ଥର ବିକ୍ରି ହେଲା ଏ ନିରୀହ ଶିଶୁଟି। ଉଦ୍ଧାର ହେବା ପରେ ସେ କହିଛି, ତା ନିର୍ଯାତନାର କାହାଣୀ। କେମତି ୩ ବର୍ଷ ଭିତରେ ସେ ଏ ସହରରୁ ସେ ସହରକୁ ଯାଇଛି। କଅଁଳ ହାତରେ ବାସନ ମାଜିଛି, ଘର ସଫା କରିଛି। ଏତେ କାମ ପରେ ମାଲିକ ପଶୁ ଭଳି ନିର୍ଯାତନା ଦେଇଛି। ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଲମ୍ବିଛି ଏ ଯନ୍ତ୍ରଣାର କାହାଣୀ।

5 years child toucher

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନଇଛଣପୁରର ଲାଲମୋହନ ସିଂଙ୍କ ପତ୍ନୀ ମାଳତୀ। ଏ ନିର୍ଯାତିତ ଶିଶୁର ମାଆ। ୩ ବର୍ଷ ପୂର୍ବେ ଦାରିଦ୍ର୍ୟ ବାହାନାରେ ୫ ବର୍ଷର ପୁଅକୁ ସେହି ଗାଁର ରବୀନ୍ଦ୍ର ବେହେରାଙ୍କ ପତ୍ନୀ ରୀନା ବେହେରାଙ୍କୁ ୩ ହଜାର ଟଙ୍କାରେ ବିକିଦେଇ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିଲା। ରୀନା ତାକୁ କିଛି ଦିନ ରଖିବା ପରେ ସେହି ଅଞ୍ଚଳ ଦହିଗଡ଼ିଆ ଗାଁର ସରୋଜ ଦାସଙ୍କୁ ୨୦ ହଜାର ଟଙ୍କାରେ ବିକିଦେଇ ଥିଲେ। ତେବେ ପିଲାଟିର ଦୁଃଖ ସେଇଠି ଶେଷ ହୋଇ ନ ଥିଲା। ସରୋଜ ତାକୁ ବାଲେଶ୍ୱର ସହରର ଜଣେ ଧନୀ ଲୋକଙ୍କୁ ୩୦ ହଜାର ଟଙ୍କାରେ ବିକିଥିଲା ବୋଲି ଅଭିଯୋଗ ହୋଇଛି। ସେ ଧନୀ ଲୋକଜଣକ ନିଜ ଘରେ କିଛି ଦିନ ରଖିବା ପରେ ଭୁବନେଶ୍ୱରରେ ରହୁଥିବା ନିଜ ଝିଅ ଘରକୁ ପଠାଇ ଦେଇଥିଲେ। ସେଠାରେ କିନ୍ତୁ ଶିଶୁଟିକୁ ଅମାନୁଷିକ ନିର୍ଯାତନା ମିଳିଥିଲା। ଠିକରେ ଖାଇବାକୁ ମଧ୍ୟ ଦିଆଯାଉ ନ ଥିଲା। ସବୁଦିନ ମାଡ଼ଗାଳି ମଧ୍ୟ ପଡୁଥିଲା।

BGU

ଦିନେ ସେଠାରୁ ଖସି ଆସି ବାହାରେ ବୁଲୁଥିବା ବେଳେ ସହିଦ ନଗର ପୁଲିସ ଉଦ୍ଧାର କରି ରୁଚିକା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ରୁଚିକା ଚାଇଲ୍ଡ ଲାଇନ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ) ସହ ଯୋଗାଯୋଗ କରିଥିଲେ ମଧ୍ୟ ଏମାନେ କିଛି ସହଯୋଗ କରି ନ ଥିଲେ। ଅନେକ ଯୋଗାଯୋଗ କରିବା ପରେ, ଡିସିପିୟୁ ପକ୍ଷରୁ ସେ ଗାଁରେ ସେମିତି କେହି ପିଲା ନାହାନ୍ତି ବୋଲି ଏକ ରିପୋର୍ଟ ଦେଇଥିଲେ। ତେବେ ଏ ରିପୋର୍ଟରେ ସନ୍ତୁଷ୍ଟ ନ ହୋଇ ରୁଚିକା ଚାଇଲ୍ଡ ଲାଇନ ଟିମ୍ ସମ୍ପୃକ୍ତ ଗାଁକୁ ଆସିବା ପରେ ତଦନ୍ତ କରି ସବୁ ଜାଣିବାକୁ ପାଇଥିଲେ।

ତେବେ ଏଠାରେ ଡିସିପିୟୁର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କାହିଁକି ଡିସିପିୟୁ ଏମିତି ରିପୋର୍ଟ ପ୍ରସ୍ତୁତ କରିଥିଲା? କାହିଁକି ଶିଶୁଟିର ସୁରକ୍ଷାକୁ ଅଣଦେଖା କରିଥିଲା? କାହିଁକି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ କରି ନ ଥିଲା? ଏମିତି ଅନେକ ପ୍ରଶ୍ନ ଭିତରେ ଡସିପିୟୁର ଅଧିକାରୀମାନେ ସନ୍ଦେହ ଘେରକୁ ଆସିଛନ୍ତି। ସେପେଟେ ସମ୍ପୃକ୍ତ ଶିଶୁଟିକୁ ବାଳାଶ୍ରମରେ ଥଇଥାନ କରାଯାଇଛି। ଅନ୍ୟପକ୍ଷରେ ପିଲାଟି ସହ ପୂର୍ବରୁ ଘଟିଥିବା ସମସ୍ତ ଘଟଣାର ତଦନ୍ତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ପକ୍ଷରୁ କୁହାଯାଇଛି। କିନ୍ତୁ ଏ ସବୁ ଅଭିଯୋଗକୁ ଡିସିପିୟୁ ପକ୍ଷରୁ ଖଣ୍ଡନ କରାଯାଇଛି।

Comment