ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଧାମନଗର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସର୍ଯ୍ୟବଂଶୀ ସୂରଜ। ଏହି ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୮୦,୩୫୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୭୦,୪୭୦ ଖଣ୍ଡ ଭୋଟ। ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩,୫୬୧ ଖଣ୍ଡ ଭୋଟି ମିଳିଥିବାବେଳେ ସ୍ବାଧୀନପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ମିଳିଛି ୮,୧୫୩ ଭୋଟ। ଏହା ସହିତ ଅନ୍ୟତମ ସ୍ବାଧୀନପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ ଏବଂ ନୋଟା ଭୋଟ ପଡ଼ିଛି ୬୫୦ ଖଣ୍ଡ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯,୮୮୧ ଭୋଟରେ ଆଗରେ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଧାମନଗର ବିଜୟ ପରେ ଏବେ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପାରମ୍ପରିକ ବାଦ୍ୟରେ କମ୍ପୁଛି ଧାମନଗର। ଧାମନଗର ସହ ରାଜଧାନୀ ଭୁବନେଶ୍ଵରରେ ଥିବା ଦଳୀୟ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଉଛି।

ଧାମନଗର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆଶା ଓ ଆଶଙ୍କାର ଅନ୍ତ ହୋଇଛି। ଶେଷରେ ଧାମନଗର ମାଟିରେ ବାଜି ମାରିଲେ ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂରଜ। ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ବିଧାନସଭା ଆସନ ପାଇଁ ଗତ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି। ଭଦ୍ରକ ସଂସ୍କୃତି ଭବନରେ ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି କରାଯାଇଥିଲା।

Tags: #Politics #OdishaPolitics #DhamnagarByelection #Voting #BJP #BJD #Congress #Swadhin #SuryabansiSuraj