ଓଡ଼ିଶାଲାଇଭ୍ ବ୍ୟୁରୋ

୧୮ ଜଣ ସ୍ତ୍ରୀଙ୍କ ନକଲି ଡାକ୍ତର ସ୍ଵାମୀ ରମେଶ ଚନ୍ଦ୍ର ଏବେ ଚର୍ଚ୍ଚାରେ। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମହିଳାଙ୍କ ସହ ଛଳନା କରି ବିବାହ କରିବା ସହ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ମଧ୍ୟ ରହିଛି ରମେଶଙ୍କ ନାମରେ। ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଉଛି ପୋଲିସ। ଏସବୁର ଗୁମର ଖୋଲିବା ପାଇଁ ରମେଶଙ୍କୁ ୫ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ।

ଜଣେ ନୁହେଁ କି ଦୁଇ ଜଣ ନୁହେଁ… ୧୮ ଜଣ ମହିଳାଙ୍କୁ ବିବାହ କରି ଏବେ ଚର୍ଚ୍ଚାରେ ଅଛନ୍ତି ନକଲି ଓଡ଼ିଆ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ।। ଦୀର୍ଘ କିଛି ଦିନ ହେବ ଖବରର ଶୀର୍ଘରେ ରହିଆସୁଥିବା ଏହି ନକଲି ଡାକ୍ତରଙ୍କ କାର୍ଯ୍ୟକଳାପ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ଦିନ ଯେତିକି ଗଡ଼ୁଛି ତାଙ୍କ ସ୍ତ୍ରୀ ସଂଖ୍ୟା ବଢ଼ିବା ସହ ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ପୋଲିସ ହାତରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ଲାଗୁଛି। ଏସବୁର ଗୁମର ଖୋଲିବା ପାଇଁ ରମେଶଙ୍କୁ ୫ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ। ବର୍ତ୍ତମାନ ତାଙ୍କ ନାମରେ ୧୦ କୋଟିରୁ ଊର୍ଦ୍ଧ୍ଵ ଠକେଇ ଅଭିଯୋଗ ହେଲାଣି।

କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ୬୪ ବର୍ଷ ବୟସ୍କ ରମେଶଙ୍କର ୩୦ ବର୍ଷର ଇତିହାସ ଖୋଜିବ ପୋଲିସ। ସେହିପରି ଅଧିକ ଖୋଳତାଡ଼ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଦଳ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ। ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିଁବେ ତାହେଲେ ପୋଲିସ ଅଭିଯୋଗ ଗ୍ରହଣ କରିବ। ଏପରିକି ସ୍ୱତନ୍ତ୍ର ଦଳରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡ଼ିଛି ।

ଚାକିରି ଦେବା ନାଁରେ ଠକେଇ

ରମେଶ ଚନ୍ଦ୍ର ସ୍ଵାଇଁ ନିଜକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ବୋଲି ପରିଚୟ ଦେଇ ନକଲି ସାର୍ଟିଫିକେଟ ବାହାର କରିଥିଲେ। ରମେଶ ଚନ୍ଦ୍ରଙ୍କ ନାମରେ ଶୁକ୍ରବାର ପୁଣି ୨ ଜଣ ଠକେଇ ଅଭିଯୋଗ ଆଣିଛନ୍ତି। କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ଚାକିରି ଦେବାକୁ କହି ରମେଶ ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ୧୧ ଲକ୍ଷ ଟଙ୍କା ଏବଂ ଆଉ ଜଣଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକି ନେଇଛନ୍ତି। ପୋଲିସର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୫ ଜଣ ରମେଶ ଚନ୍ଦ୍ରଙ୍କ ନାମରେ ଠକେଇ ଅଭିଯୋଗ ଆଣିଛନ୍ତି। ଆଗକୁ ଏହି ଠକେଇ ତାଲିକା ବଢ଼ିପାରେ ବୋଲି ପୋଲିସ କହିଛି।

ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି ଯେ, ଏହି ରାକେଟରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ତେଣୁ କେଉଁମାନେ ରମେଶ ଚନ୍ଦ୍ରଙ୍କ ସହ ସମ୍ପର୍କରେ ଥିଲେ ସେ ନେଇ ପୋଲିସ ଖୋଳତାଳ କରୁଛି।

ଦଶମ ଫେଲ୍ ଏମବିବିଏସ୍ ଡାକ୍ତର  

ନିଜକୁ ଡାକ୍ତର କହୁଥିବା ରମେଶ ପ୍ରକୃତରେ ଦଶମ ଫେଲ୍। ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ। ରମେଶ ଦଶମ ଫେଲ୍ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି।

ଏକାଧିକ ଯୁବତୀଙ୍କ ସହ ଚାଟିଂ

ଅଭିଯୁକ୍ତ ରମେଶ ଚନ୍ଦ୍ର ୧୮ ଜଣଙ୍କୁ ବିବାହ କରିଥିଲେ। ଏତେ ସଂଖ୍ୟାରେ ଯୁବତୀଙ୍କୁ ବିବାହ କରିବା ପରେ ବି ତାଙ୍କର ମୋହ ଛାଡ଼ି ନଥିଲା। ପରେ ସେ ଅନେକ ମହିଳାଙ୍କୁ ବିବାହ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏମିତିକି ନକଲି ଡାକ୍ତର ରମେଶଙ୍କ କଳା କାରନାମା ଜାଣିବା ପରେ ଗୌହାଟୀର ଜଣେ ମହିଳା ଡାକ୍ତରାଣୀ ଅଚେତ ହୋଇପଡ଼ିଥିଲେ।

ଆଶ୍ଚର୍ଯ୍ୟର କଥା ଏହା କି ରମେଶ ବିବାହ କରିଥିବା ମହିଳାଙ୍କ ମଧ୍ୟରୁ ଅନେକ ଉଚ୍ଚ ଶିକ୍ଷିତା। କିଏ ଡାକ୍ତର ତ ପୁଣି କିଏ ଚାଟାର୍ଡ ଆକାଉଣ୍ଟାଣ୍ଟ୍। ମାଟ୍ରିମୋନି ସାଇଟ୍ ସାହାଯ୍ୟରେ ଏସମସ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲେ ରମେଶ। ଖାସ କରି ଛାଡ଼ପତ୍ର ନେଇଥିବା ମହିଳାଙ୍କୁ ଛଳନା କରି ବିବାହ କରୁଥିଲେ।

ପୋଲିସ ତାଙ୍କ ମୋବାଇଲ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ରମେଶ ଚନ୍ଦ୍ର ଏକାଧିକ ମହିଳାଙ୍କ ସହ ହ୍ଵାଟସଆପରେ ଚାଟିଂ କରୁଥିଲେ। କାହାକୁ ଚାକିରି କରାଇ ଦେବାକୁ ପ୍ରତିଶୃତି ଦେଉଥିଲେ ତ ଆଉ କାହାକୁ ବିବାହ କରିବା ପାଇଁ। ଅନେକ ଯୁବତୀଙ୍କୁ ନେଇ ରମେଶ ପୁରୀ, କୋଣାର୍କରେ ବହୁବାର ରହିଥିବା ପୋଲିସ ଜାଣିବାକୁ ପାଇଛି।

ରାଜ୍ୟ ବାହାରେ ବୁଲୁଥିଲେ

ରମେଶ ଅଧିକାଂଶ ସମୟରେ ରାଜ୍ୟ ବାହାରେ ରହୁଥିଲେ। ଯେଉଁ ରାଜ୍ୟରେ ସେ ଯୁବତୀ କିମ୍ବା ମହିଳାଙ୍କୁ ଛଳନା କରି ବିବାହ କରୁଥିଲେ, ଉକ୍ତ ରାଜ୍ୟରେ ସେ ରହୁଥିଲେ। ଏପରିକି ସେ ହୋଟେଲରେ ରଙ୍ଗୀନ ଜୀବନ ବିତାଉଥିଲେ। ହୋଟେଲରେ ରହଣୀ ଏବଂ ବୁଲାବୁଲିର ଖର୍ଚ୍ଚ ଉକ୍ତ ମହିଳାମାନେ ବହନ କରୁଥିଲେ। ତାଙ୍କଠାରୁ ଟଙ୍କା ଲୁଟିବା ପରେ ପୁଣି ଅନ୍ୟ ଏକ ରାଜ୍ୟକୁ ପଳାଉଥିଲେ ରମେଶ। ଏବେ ସେ ୧୮ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି। ହେଲେ ଆହୁରି ଅନେକ ମହିଳା ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ ଲୋକଲଜ୍ଜା ଭୟରେ ସାମ୍ନାକୁ ଆସୁ ନାହାନ୍ତି। ତେଣୁ ସେମାନେ ବିନା ଭୟରେ ପୋଲିସ ନିକଟକୁ ଆସି ଅଭିଯୋଗ କରିବାକୁ ପୋଲିସ ପରାମର୍ଶ ଦେଇଛି।

ପୂର୍ବରୁ ମଧ୍ୟ ଗିରଫ ହୋଇସାରିଛନ୍ତି ରମେଶ    

ଏହା ପୂର୍ବରୁ ମଧ୍ୟ ରମେଶଙ୍କୁ ଗିରଫ କରି ସାରିଛି ପୋଲିସ। ୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା। ୧୩ଟି ବ୍ୟାଙ୍କରୁ ୧ କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲେ ରମେଶ। ତାଙ୍କ ପାଖରୁ ୧୨୮ଟି ନକଲି ପ୍ରମାଣ ପତ୍ର ମିଳିଥିଲା। କେନ୍ଦ୍ର ସରକାରଙ୍କ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ଉପ ନିର୍ଦ୍ଦେଶକ ଥିବା କହି ସେ ଠାକୁଥିଲେ। ଛାତ୍ରଙ୍କୁ ଏମବିବିଏସ୍ କରାଇ ଦେବେ କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ରମେଶଙ୍କୁ ଗିରଫ କରିଥିଲା।

Comment