ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ରାଜ୍ୟର ପୌରସଂସ୍ଥାମାନଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଓଡ଼ିଶା ସରକାର। ଏହି ନିର୍ଦ୍ଦେଶ ଅନୁସାରେ ବସ୍ତି ଉନ୍ନୟନ ପାଇଁ ଏଣିକି ବଜେଟର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ  ପୌର ସଂସ୍ଥା ବାଧ୍ୟ ହେବେ। ଯେଉଁ ପଚିଶ ପ୍ରତିଶତ ଅର୍ଥ ବରାଦ ହେବ ତାହା ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯିବ। ନିଶ୍ଚିତରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ମହାନଗର ନିଗମର କମିସନର, ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଏନଏସିମାନଙ୍କ ପାଖକୁ ଯେଉଁ ପତ୍ର ଲେଖାଯାଇଛି ସେଥିରେ କୁହାଯାଇଛି ଯେ, ସହର ଉନ୍ନୟନର ଏକ ପରିପୂରକ ଅଙ୍ଗ ହେଉଛି ବସ୍ତି। ସୁତରାଂ ଏହାର ଉନ୍ନତି ବି ସମାନ ଭାବେ ହେବା ଦରକାର।ଗତବର୍ଷ ଅଗଷ୍ଟ ମାସରେ ବଜେଟ ବରାଦ ଓ ଢାଞ୍ଚାଗତ ପରିବର୍ତ୍ତନ ସଂକ୍ରାନ୍ତରେ ଓଡ଼ିଶା ସରକାର ଏକ ଅଧ୍ୟାଦେଶ ଆଣିଥିଲେ ଏବଂ ଅକ୍ଟୋବର ମାସରେ ଏହି ଅଧ୍ୟାଦେଶ ବିଲରେ ପରିଣତ ହୋଇ ବିଧାନସଭାର ସ୍ୱୀକୃତି ଲାଭ କରିଥିଲା। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମ ନାୟକ ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥାକୁ ପଠାଇଥିବା ଚିଠିରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ, ବାର୍ଷିକ ବଜେଟ ତିଆରି କରିବାବେଳେ ପୌର ସଂସ୍ଥାମାନେ ସେମାନଙ୍କ ବଜେଟର ୨୫ ପ୍ରତିଶତ ଅର୍ଥ ବସ୍ତି ଉନ୍ନୟନ ପାଇଁ ଅଲଗା ରଖିବେ। ତା’ଛଡ଼ା ଏହି ବରାଦ ଅର୍ଥ ଯେପରି ଠିକଣା ବାଟରେ ଖର୍ଚ୍ଚ ହେବ ଓ ଏ ସଂକ୍ରାନ୍ତୀୟ ରିପୋର୍ଟ ଯେପରି ପ୍ରତି ତିନି ମାସରେ ଥରେ ସରକାରଙ୍କ ପାଖକୁ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଉକ୍ତ ଚିଠିରେ କୁହାଯାଇଛି।

ନୂଆ ବ୍ୟୟ ବରାଦ ଅନୁସାରେ ବସ୍ତି ପାଇଁ ଯେଉଁ ଟଙ୍କା ଉଦ୍ଦିଷ୍ଟ ରହିବ ସେଥିରେ ବିଦ୍ୟୁତ ମରାମତି, ପାନୀୟଜଳ ଯୋଗାଣରେ ଉନ୍ନତି, ଶୌଚାଳୟ ଉନ୍ନତି, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ଆଦି ସାମାଜିକ କଲ୍ୟାଣ ପ୍ରତି ଧ୍ୟାନ ଦିଆଯିବ। ଓଡ଼ିଶା ସରକାରଙ୍କ ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ଆଉ ଗୋଟିଏ ପାଦ ଆଗେଇ ନେଇ ଗତ ବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ତିନି ବର୍ଷ ମଧ୍ୟରେ ନ୍ୟୁନତମ ଭିତ୍ତିଭୂମିର ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ରାଜ୍ୟର ସମସ୍ତ ବସ୍ତିଗୁଡ଼ିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବ।

ବସ୍ତି ଉନ୍ନୟନ ପ୍ରତି ଓଡ଼ିଶା ସରକାରଙ୍କ ଗୁରୁତ୍ୱ ଆରୋପ ପଛରେ ବିଶେଷ କାରଣ ରାଜ୍ୟରେ ପ୍ରାୟ ୩ ହଜାର ବସ୍ତି ରହିଛି। ଏହି ସବୁ ବସ୍ତିରେ ପ୍ରାୟ  ୩ ଲକ୍ଷ ୫୦ ହଜାର ପରିବାର ରହୁଛନ୍ତି ଓ ଜନସଂଖ୍ୟା ପ୍ରାୟ ୧୬ଲକ୍ଷ। ଅଧିକନ୍ତୁ, ଏହି ବସ୍ତି ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କହିବା ବାହୁଲ୍ୟ ଯେ, ବସ୍ତି ବାସିନ୍ଦା ସହର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ସେମାନଙ୍କ ସାମଗ୍ରିକ ବିକାଶ ଜରୁରୀ। ସେହି ଦୃଷ୍ଟିରୁ ନଗର ଉନ୍ନୟନ ବିଭାଗ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମୟୋପଯୋଗୀ ଓ  ସ୍ୱାଗତଯୋଗ୍ୟ।

LEAVE A REPLY

Please enter your comment!
Please enter your name here