ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସ୍କୁଲ ଶିକ୍ଷା କ୍ଷେତ୍ରରେ ସ୍ମାର୍ଟ କ୍ଲାସରୁମ ଏକ ବୈପ୍ଳବିକ ପରିବର୍ତ୍ତନ। ନିକଟରେ ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ବଳିଷ୍ଠ ପ୍ରୟାସ। ଏହାଦ୍ଵାରା ବିଗତ କିଛି ବର୍ଷ ଧରି ସ୍କୁଲଗୁଡ଼ିକରେ ଯେଉଁ ଅବସ୍ଥା ଲାଗି ରହିଥିଲା ତାହା ଦୂର ହେବାକୁ ଯାଉଛି।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ହାଇସ୍କୁଲର ଶ୍ରେଣୀଗୃହ ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ସବୁ ଶ୍ରେଣୀ ଗୃହ ନିର୍ମାଣ ହୋଇଛି। ଏହି ସ୍ମାର୍ଟ କ୍ଲାସରୁମ ଜରିଆରେ  ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯିବ। ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍କୁଲଗୁଡ଼ିକରେ ଉପଲବ୍ଧ କରାଯାଇଛି।ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନେ‌ସିଂ ମାଧ୍ୟମରେ ଉଦଘାଟନ କରିଥିବା ଗଞ୍ଜାମ ଜିଲ୍ଲାର ଏହି ବିଦ୍ୟାଳୟ ଅନ୍ୟ ସ୍କୁଲ ପାଇଁ ମଡେଲ ଭଳି କାମ କରିବ। ଅତ୍ୟାଧୁନିକ ସୁବିଧା ସୁଯୋଗ କିପରି ଏସବୁ  ବିଦ୍ୟାଳୟରେ  ପ୍ରଥମଥର ପାଇଁ ଉପଲବ୍ଧ କରାଯାଇଛି ତାହାକୁ ଅନୁଧ୍ୟାନ କରିଛନ୍ତି ବିଧାୟକ ଓ ମନ୍ତ୍ରୀ। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ଏସବୁ  ଅନୁଷ୍ଠାନ ସହାୟକ ହେବ। ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ଯେଉଁ  ବାତାବରଣ ସୃଷ୍ଟି ହୋଇଛି ତାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନତା ଭରିଦେବ ଏଥିରେ ଦ୍ଵିମତ ନାହିଁ।ଏହି ସ୍କୁଲଗୁଡ଼ିକରେ ମିଳୁଥିବା ସୁବିଧା କୌଣସି ବେସରକାରୀ ସ୍କୁଲର ସୁବିଧା ସୁଯୋଗଠାରୁ କମ୍ ନୁହେଁ। ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନ ଲ୍ୟାବ୍, ସ୍ୱଚ୍ଛ ପିଇବା ପାଣି, କ୍ରୀଡା ଭିତ୍ତିଭୂମି, ଟଏଲେଟ୍ ଭଳି ବ୍ୟବସ୍ଥା ଯାହା ଦିନେ ସ୍ୱପ୍ନ ଥିଲା ତାହା ଆଜି ସାକାର ହୋଇଛି। ଯେଉଁଭଳି ଚିରାଚରିତ ଧାରାରେ ବ୍ଲାକବୋର୍ଡ ଆଉ ଚକ ଖଡି ମାଧ୍ୟମରେ ପାଠପଢା ଯାଉଥିଲା, ତାହା ଏଣିକି ଆଉ ହେବ ନାହିଁ।

ପାଇଲଟ୍ ପ୍ରୋଜେକ୍ଟ ଭାବେ ଗଞ୍ଜାମରୁ ଏହା ଆରମ୍ଭ ହୋଇଛି। ପ୍ରତି ସ୍କୁଲ ପିଛା ଖର୍ଚ୍ଚ ହୋଇଛି ୪୫ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଏକ ହଜାର ସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟା ଭିତରକୁ ଆସିବେ। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ କେବଳ ସମୟ ଉପଯୋଗୀ ନୁହେଁ ପିଲାଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ଉଲ୍ଲେଖନୀୟ ଅବଦାନ।

Comment