ଓଡ଼ିଶାଲାଇଭ୍ ବ୍ୟୁରୋ

ହକିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷ ଓଡ଼ିଶାର ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିୟର ବିଶ୍ଵକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ। ଏଥି ପାଇଁ ଗୁରୁବାର କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଲୋଗ ଏବଂ ଟ୍ରଫି ଉନ୍ମୋଚନ କରିଛନ୍ତି।

ନଭେମ୍ବର ୨୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଆଜି ଏହି ତାରିଖ ଘୋଷଣା ହେବାପରେ ବିଶ୍ଵକପ୍ ହକିକୁ ନେଇ ହକି ପ୍ରେମୀ ଏବଂ ଓଡ଼ିଶାର ହକି ତାରକାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ସିନିୟର ବିଶ୍ଵକପ ହକି ହୋଇସାରିଛି।

ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରବାନ୍ଵିତ କରିଛି। ମହିଳା ହକି ଟିମ ମଧ୍ୟ ଲଢ଼ୁଆ ପ୍ରଦର୍ଶନ କରି ଦେଶବାସୀଙ୍କ ମନ ଜିତିଛନ୍ତି। ପୁରୁଷ ଟିମରେ ଓଡ଼ିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଥିବାବେଳେ, ମହିଳା ଟିମରେ ଦୀପ ଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ ରହିଥିଲେ।ଭାରତୀୟ ପୁରୁଷ ହକି ଟିମର ସଫଳତା ପରେ ଓଡ଼ିଶାରେ ଜୁନିୟର ବିଶ୍ଵକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କହିରଖୁ ଯେ, ଭାରତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ହେଉଛି ଓଡ଼ିଶା। ପୂର୍ବରୁ ୨୦୨୩ ମସିହା ପର୍ଯ୍ୟନ୍ତ ପ୍ରାୟାଜକ ରହିଥିଲା ଓ ପରେ ଏହାକୁ   ଆଗାମୀ ୧୦ ବର୍ଷ ଯାଏଁ ବଢ଼ାଇ ୨୦୩୩ କରାଯାଇଛି।

ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲ କ୍ରୀଷ୍ଣା, ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋଶନ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here