ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ହିମନ୍ତ ବିଶ୍ବଶର୍ମା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପୁଲେଲା ଗୋପୀଚନ୍ଦ ଯୋଗ ଦେଇଥିଲେ।

ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରଟି ଡାଲମିଆ ଭାରତ ଗ୍ରୁପ ଓ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଛି। ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି।

ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି। ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ସହିତ ୨୦୦ ସିଟ୍‌ ବିଶିଷ୍ଟ ଏକ ଆମ୍ଫିଥିଏଟର ରହିଛି। ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ ନିର୍ମାଣ କରାଯାଇଛି।

“ଆମ ଦେଶର ବ୍ୟାଡମିଣ୍ଟନ ଖେଳାଳୀ ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନେ ସେମାନଙ୍କର ଅଦମ୍ୟ ପ୍ରଚେଷ୍ଟା ବଳରେ କ୍ରୀଡ଼ା କ୍ଷେତ୍ରରେ ବିଶ୍ବ ମଞ୍ଚରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି। ଭୁବନେଶ୍ବରରେ ଏହି ସେଣ୍ଟର ପ୍ରତିଷ୍ଠା ଦ୍ବାରା ଓଡ଼ିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳିମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି ହେବ। ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡି଼ଶା ବିଶ୍ବ ମଞ୍ଚରେ ଏହି ସେଣ୍ଟର ଜରିଆରେ ପରିଚିତ ହେବ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ, ଡାଲମିଆ ଭାରତ ଗ୍ରୁପ ଓ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ।

“ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡ଼ା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ। ଏହି ସେଣ୍ଟର ଭାରତରେ ବ୍ୟାଡମିଣ୍ଟନ ଖେଳକୁ ନୂଆ ଶିଖରକୁ ନେବ। ଭାରତ ସହିତ ଓଡ଼ିଶାରେ ବ୍ୟାଡମିଣ୍ଟନ ଖେଳର ବିକାଶ କ୍ଷେତ୍ରରେ ଏହି ସେଣ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ”, କହିଛନ୍ତି ହିମନ୍ତ ବିଶ୍ବଶର୍ମା।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଏକାମ୍ର ବିଧାୟକ ବାବୁ ସିଂହ, ଡାଲମିଆ ଭାରତ ଗ୍ରୁପର ସିଇଓ ପି.ୱାଇ ଡାଲମିଆ ଓ ପରିଚାଳନା ନିର୍ଦ୍ଦେଶକ ଗୌତମ ଡାଲମିଆ ଏବଂ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #BadmintonHighPerformanceCenter #KalingaStadium #Badminton #Sports #Bhubaneswar

LEAVE A REPLY

Please enter your comment!
Please enter your name here