ଓଡ଼ିଶାଲାଇଭ୍ ବ୍ୟରୋ

  • ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ
  • ଜିଲ୍ଲାର ୯୦ ପ୍ରତିଶତ ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା
  • ଗଜପତି ମୋ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲ୍ଲା ଗସ୍ତ କରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ଜିଲ୍ଲାର ୧.୩୫ ଲକ୍ଷ ପରିବାର ବା ୯୦ ପ୍ରତିଶତ ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ମୋ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରୁଛି। ଏଥିପାଇଁ ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରି ମୁଁ ବହୁତ ଖୁସି।”

ସେ ଆଉ ମଧ୍ୟ କହିଛନ୍ତି, “ଗଜପତି ହେଉଛି କଳା ଓ ସଂସ୍କୃତିର ଭୂମି। ଛୋଟିଆ ଜିଲ୍ଲା ହେଲେ ମଧ୍ୟ  ଆଧୁନିକ ଓଡ଼ିଶା ପାଇଁ ଗଜପତିର ଅବଦାନ ବହୁତ ଅଧିକ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ସେ ଥିଲେ ବିକାଶ ଓ ସ୍ଵାଭିମାନର ପ୍ରତୀକ। ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ଅବଦାନ ମଧ୍ୟ ଅତୁଳନୀୟ।” ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ଵାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହା ଦ୍ଵାରା ଗରିବ ଶ୍ରେଣୀର ଲୋକମାନେ ବିନା ମୂଲ୍ୟରେ ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇପାରିବେ। ଏହି କାର୍ଡ ଥିଲେ ଚିକିତ୍ସା ପାଇଁ ଅନ୍ୟ କୌଣସି ପ୍ରମାଣପତ୍ରର ଦରକାର ପଡ଼ିବନାହିଁ। ଏହି କାର୍ଡ ଜରିଆରେ ଦେଶର ଦୁଇ ଶହ ବଡ ବଡ ହସ୍ପିଟାଲରେ ବିନା ମୂଲ୍ୟରେ ହିତାଧିକାରୀମାନେ ଚିକିତ୍ସା ପାଇପାରିବେ। ପ୍ରତି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ସିପ୍‌ କାର୍ଯ୍ୟକ୍ରମ। ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ଼, ବଲାଙ୍ଗୀର ଏବଂ ଏବେ ଗଜପତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆଜିର କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment