ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାବାସୀଙ୍କୁ ସତର୍କ କରାଇଲେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟ୍ଟନମ ଦେଇ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ଏବେଠାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ବାତ୍ୟା ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ। ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ସେ କହିଛନ୍ତି, “ଅବପାତର ପ୍ରଭାବରେ ଜିଲ୍ଲାରେ ଆଜିଠାରୁ ୫୦ରୁ ୬୦ କିଲୋମିଟର ଏବଂ ରବିବାର ୭୦ରୁ ୮୦ କିଲୋମିଟର ବେଗର ପବନ ବହିବ। ଏଥିସହ ରବିବାରଠାରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାହାଡ଼ିଆ ଓ ତଳିଆ ଅଞ୍ଚଳ ଲୋକମାନେ ଏବେଠାରୁ ନିରାପଦ ସ୍ଥାନକୁ ଚାଲିଯାଆନ୍ତୁ।”

ସେ ଆଉ ମଧ୍ୟ କହିଛନ୍ତି, “ବାତ୍ୟା ମୁକାବିଲା ପାଇଁ ବ୍ଲକ ସ୍ତରରେ ଟିମ୍ ଗଠନ କରାଯାଇଛି। ଏହି ଟିମରେ ବିଡିଓ, ତହସିଲଦାର, ଆଇଆଇସି ଓ ପରିଚାଳନା ଅଧିକାରୀ ରହିବେ। ବାତ୍ୟା ପରର ସ୍ଥିତି ପାଇଁ ଆଗୁଆ ଜେସିବି ଏବଂ ଗଛ କଟା ମେସିନ ପ୍ରସ୍ତୁତ ରଖାଯାଇଛି।”

ସେପଟେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ରବିବାର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତେ ହେଡକ୍ଵାର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି। ବିନା ଅନୁମତିରେ କୌଣସି ବି ଅଫିସର ହେଡକ୍ଵାର୍ଟର ନ ଛାଡ଼ିବାକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comment