ଓଡ଼ିଶାଲାଇଭ୍ ବ୍ୟୁରୋ

ହିଞ୍ଜିଳି ବିଧାନସଭା ଆସନରୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୨ଟା ୩୦ ସମୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପୂର୍ବରୁ ସେ ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିପତ୍ର ଦାଖଲ ଅବସରରେ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯିବ। ମେ’ ୨୦ ତାରିଖରେ ହିଞ୍ଜିଳି ଆସନରେ ମତଦାନ ହେବ। ନବୀନ ପଟ୍ଟନାୟକ ଏଠାରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛି। ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। 

ନବୀନ ପଟ୍ଟନାୟକଙ୍କ ଛତ୍ରପୁର ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମା’ ତାରାତାରିଣୀଙ୍କ ପୀଠ ଏବଂ ଛତ୍ରପୁରରେ ୧୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଛନ୍ତି ନବୀନ ପଟ୍ଟନାୟକ। ଏଥର ସେ କଣ୍ଟାବାଞ୍ଜିରୁ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ମେ’ ୨ ତାରିଖରେ ସେ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

Tags: #NaveenPatnaik #HinjiliAssemblySeat #Nomination #BJD #Politics #Ganjam #Odisha

LEAVE A REPLY

Please enter your comment!
Please enter your name here