ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ଲୋକହିତ ଯୋଜନା ପ୍ରସ୍ତୁତ କରିବାରେ ସମଗ୍ର ଦେଶରେ ଓଡ଼ିଶାର ଏକ ଭିନ୍ନ ପରିଚୟ ରହିଛି। ଓଡ଼ିଶାର ଅନେକ କାର୍ଯ୍ୟକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ବିଭିନ୍ନ ସମୟରେ ପ୍ରଶଂସା ମଧ୍ୟ କରିଛନ୍ତି। ଏପରିକି ଅନ୍ୟ ରାଜ୍ୟ ସରକାରମାନେ ଓଡ଼ିଶାର ବିଭିନ୍ନ ଯୋଜନାକୁ ନିଜ ରାଜ୍ୟରେ ପ୍ରଚଳନ ମଧ୍ୟ କରିଛନ୍ତି। ସେହି କ୍ରମରେ ଓଡ଼ିଶାର ଆଉ ଏକ କାର୍ଯ୍ୟକ୍ରମକୁ ଅନୁସରଣ କରିଛନ୍ତି କେନ୍ଦ୍ର ସରକାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦିଆଯାଉଥିବା ସ୍ମାର୍ଟ ହେଲ୍‌ଥ କାର୍ଡ ଢାଞ୍ଚାରେ ଏବେ କେନ୍ଦ୍ର ବାଣ୍ଟିବାକୁ ଯାଉଛି ଡିଜିଟାଲ ହେଲଥ କାର୍ଡ।

ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇବ ସ୍ମାର୍ଟ ହେଲ୍‌ଥ କାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଯାହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା କୁହାଯାଉଛି। ବିଜୁ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଣ୍ଟାଯାଉଛି। ସୂଚନା ଥାଉକି, ଏହାର ଶୁଭାରମ୍ଭ ପ୍ରଥମେ ମାଲକାନଗିରି ଜିଲ୍ଲାରୁ କରାଯାଇଥିଲା। ଏହାପରେ ସୁନ୍ଦରଗଡ଼ ଓ ଏବେ ବଲାଙ୍ଗୀର ଜିଲ୍ଲାରେ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହିସବୁ ଜିଲ୍ଲା ଗସ୍ତ କରି ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିଛନ୍ତି।

ତାଙ୍କର ଲକ୍ଷ୍ୟ, ଓଡ଼ିଶାବାସୀ ଯେମିତି ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି। ପ୍ରତ୍ୟେକ ଓଡ଼ିଆ ପରିବାର ଏହି କାର୍ଡ ଜରିଆରେ ଦେଶର ଦୁଇ ଶହ ବଡ ବଡ ହସ୍ପିଟାଲରେ ବିନା ମୂଲ୍ୟରେ ଚିକିତ୍ସା ପାଇପାରିବେ। ପ୍ରତି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ  ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଓଡ଼ିଶାର ଯୋଜନାକୁ ଅନୁସରଣ କରୁଛି କେନ୍ଦ୍ର

ଓଡ଼ିଶାରେ ଏହି ସ୍ମାର୍ଟ କାର୍ଡ ପ୍ରଦାନ କରାଯିବା ପରେ କେନ୍ଦ୍ରରେ ମଧ୍ୟ ଏହାକୁ ଅନୁସରଣ କରାଯାଉଥିବା ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର ପ୍ରୟାସ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ରକମର ଚିକିତ୍ସା ସୁବିଧା ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକାର ସୁବିଧାକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ନିଶ୍ଚିତରେ ସ୍ୱାଗତଯୋଗ୍ୟ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବିଶେଷ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ଭଳି ହିତାଧିକାରୀଙ୍କ ଆଧାର ଓ ଫୋନ ନମ୍ବର ବି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍‌ଥ କାର୍ଡରେ ରହିବ। ଏଥିସହ ଜାତୀୟ ଡିଜିଟାଲ ହେଲ୍‌ଥ ମିଶନ ଅଧୀନରେ ହିତାଧିକାରୀଙ୍କୁ ହେଲ୍‌ଥ କାର୍ଡ ଦିଆଯିବ। ଏହିଭଳି ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡର ଅନେକ ସୁବିଧାକୁ ମଡେଲ ଭାବେ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୧୪ଟିକିଆ ନମ୍ବର ବିଶିଷ୍ଟ ଏହି କାର୍ଡ ପାଇବା ପାଇଁ ହିତାଧିକାରୀଙ୍କୁ ଏନଡିଏଚ୍ଏମ୍ ମୋବାଇଲ ଆପ୍ ଡାଉନଲୋଡ କରିବାକୁ ପଡ଼ିବ।

ଉଲ୍ଲେଖ କରାଯାଇପାରେ ଯେ, ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ପୂର୍ବରୁ ମମତା ଯୋଜନା ଏବଂ ବେଆଇନ ଖଣି କାରବାର ରୋକିବାକୁ ରାଜ୍ୟ ସରକାର ଆଣିଥିବା ସ୍ଵତନ୍ତ୍ର ସଫ୍ଟଓୟାରକୁ ମଧ୍ୟ କେନ୍ଦ୍ର ସରକାର ଅନୁସରଣ କରିଥିଲେ। ଏଥିସହ ଅନ୍ୟ ରାଜ୍ୟଗୁଡ଼ିକ ଏହି ଯୋଜନାକୁ ମଡେଲ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

Comment