ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର। ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟପାଳ ଟୁଇଟ କରି ଲେଖିଛନ୍ତି, “ବିଶିଷ୍ଟ ବିଦ୍ୱାନ, ଗବେଷକ, ଅନୁବାଦକ ତଥା ଶିକ୍ଷାବିତ୍ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି। ତାଙ୍କ କୃତି ଓ କୀର୍ତ୍ତି ତାଙ୍କୁ ଚିରଦିନ ଅମଳିନ ରଖିବ। ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଉଛି।”

ଶୁକ୍ରବାର ସକାଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ପ୍ରଫେସର ରାଜକିଶୋର ମିଶ୍ର। ତାଙ୍କର ଚିକିତ୍ସା ପାଇଁ  ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଓଡ଼ିଆ ସାହିତ୍ୟ ଜଗତର ଜଣେ ସୁପରିଚିତ ପ୍ରତିଭା ଥିଲେ ରାଜକିଶୋର ମିଶ୍ର। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଏବଂ ‘ଉତ୍କଳ ପ୍ରସଙ୍ଗ’, ‘ଓଡ଼ିଶା ରିଭ୍ୟୁ’ର ପୂର୍ବତନ ସମ୍ପାଦକ ମଧ୍ୟ ଥିଲେ।

ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଓଡ଼ିଶା ରିଭ୍ୟୁର ପୂର୍ବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ  ବିଶେଷ କରି ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଲେଖିଛନ୍ତି, “ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସାହିତ୍ୟ, ସଂଗଠନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”

Comment