ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଲାଙ୍ଗୀରବାସୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
  • ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ହେବେ ଉପକୃତ
  • ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
  • ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀରର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି। ଏହାଦ୍ଵାରା ଜିଲ୍ଲାର ସାଢ଼େ ଚାରି ଲକ୍ଷ ପରିବାର ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଲାଙ୍ଗୀବାସୀଙ୍କ ପାଇଁ ୨ଶହ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ୫୯୭ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଟିଟିଲାଗଡଠାରେ ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ପାଟଣାଗଡ ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ସ୍ମାର୍ଟ ହେଲ୍‌ଥ କାର୍ଡର ବ୍ୟବସ୍ଥା ସାଧାରଣ ଲୋକଙ୍କର ଚିକିତ୍ସା ବ୍ୟବସ୍ଥାରେ ରୂପାନ୍ତର ଆଣିପାରିବ। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯାଉଛି। ଏଭଳି ବ୍ୟବସ୍ଥା ଯୋଗାଇ ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ସମଗ୍ର ଓଡିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଉଥିବାବେଳେ, ବଲାଙ୍ଗୀର ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ।”ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଥିଲେ, “ଏହି କାର୍ଡ ଥିଲେ ଚିକିତ୍ସା ପାଇଁ ଅନ୍ୟ କୌଣସି ପ୍ରମାଣପତ୍ରର ଦରକାର ପଡ଼ିବନାହିଁ। ଏହି କାର୍ଡ ଜରିଆରେ ଦେଶର ଦୁଇ ଶହ ବଡ ବଡ ହସ୍ପିଟାଲରେ ବିନା ମୂଲ୍ୟରେ ହିତାଧିକାରୀମାନେ ଚିକିତ୍ସା ପାଇପାରିବେ। ପ୍ରତି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ।”

ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ଏବଂ ଟଙ୍କା ପାଇଁ କୌଣସି ବ୍ୟକ୍ତି ଯେମିତି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବେ, ତାହା ହେଉଛି ମୋର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଟିଟିଲାଗଡ-ସଇଁତଳା ବ୍ଲକରେ ସମ୍ପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ପାଟଣାଗଡରେ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ, “ହରିଶଙ୍କର ପୀଠ ରାଜ୍ୟର ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଓ ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି।”ଏସବୁ କାର୍ଯ୍ୟକ୍ରମ ପରେ ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରି କହିଥିଲେ ଯେ ଶିକ୍ଷା ଓ ସ୍ଵାସ୍ଥ୍ୟ ହେଉଛି ବିକାଶର ମୂଳଦୂଆ। ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ବାରୋପ କରିଛନ୍ତି। ସ୍ଵାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ,  “ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରେ ଏହା ହେଉଛି ଜିଲ୍ଲାର ଦ୍ଵିତୀୟ ପ୍ରମୁଖ ଅନୁଷ୍ଠାନ। ଏହାକୁ ଏକ ଆଦର୍ଶ ବିଶ୍ଵବିଦ୍ୟାଳୟ ରୂପେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ।”

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ,     ବିଧାୟକ ନରସିଂହ ମିଶ୍ର, ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment