ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ମୁଖ୍ୟ ସୂଚନା କମିସନର ଭାବରେ ନିଯୁକ୍ତି ପାଇଲେ ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ତଥା ପୂର୍ବତନ ଆଇପିଏସ ଅଫିସର ଜଳଦ ତ୍ରିପାଠୀ। ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ରାଜ୍ୟର ମୁଖ୍ୟ ସୂଚନା କମିସନର ଦାୟିତ୍ଵରେ ଥିବା ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲି ରହିଥିଲା ଏହି ପଦବୀ। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ନୂଆ ମୁଖ୍ୟ ସୂଚନା କମିସନର ଭାବେ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ଜରିଆରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ତିନି ଜଣଙ୍କ ନାଁ ଚୟନ କରାଯାଇଥିଲା। ସେମାନେ ହେଲେ ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି  ଜଳଦ ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଏବଂ ଆଇପିଏସ ଏମ. ଅକ୍ଷୟ। ଏମାନଙ୍କ ମଧ୍ୟରୁ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବାପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଗୁରୁବାର ରାଜ୍ୟପାଳ ଜଳଦ ତ୍ରିପାଠୀଙ୍କୁ ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି କରିଛନ୍ତି।

ତାମିଲନାଡ଼ୁରେ ପୋଲିସ ଡିଜି ଭାବରେ କାର୍ଯ୍ୟ କରୁଥିବା ଜଳଦ ତ୍ରିପାଠୀ ୨୦୨୧ ଜୁନ ୩୦ରେ ଅବସରରେ ନେଇଥିଲେ। ଏହାପୂର୍ବରୁ ସେ ଚେନ୍ନାଇ ପୋଲିସ କମିସନର ଭାବେ ଦାୟିତ୍ଵ ତୁଲାଇଥିଲେ।

Comment