ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏଥିସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ କରାଯାଇଛି। ଏନେଇ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ମଧୁସ୍ମିତା ସାମଲ ଓ ଶାନ୍ତନୁ ସାହୁଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯିବା ସହ ଉକ୍ତ ବିଭାଗରେ ପୁନଶ୍ଚ ଅବସ୍ଥାପିତ କରାଯାଇଛି। ସେହିପରି ଫୁଲବାଣୀ ଜିଲ୍ଲା କୋଷାଗାର ଅଧିକାରୀ ପୀୟୁଷକାନ୍ତ ପାଣିଙ୍କ ପଦୋନ୍ନତି କରାଯାଇ କଟକସ୍ଥିତ ସିଟି ଜିଏସଟିର ଅତିରିକ୍ତ ଆୟୁକ୍ତଭାବେ ନିଯୁକ୍ତି ମିଳିଛି।କଟକସ୍ଥିତ ସିସିଟି କାର୍ଯ୍ୟାଳୟର ଜେସିସିଟି ଅଧିକାରୀ ସମ୍ବିତ ପରିଜାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବଭାବେ ନିଯୁକ୍ତି କରାଯାଇଛି । ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ସୁନ୍ଦରଗଡ଼ ସିଟିଜିଏସଟି ଅତିରିକ୍ତ ଆୟୁକ୍ତଭାବେ, ଦୀପଙ୍କର ମହାପାତ୍ରଙ୍କୁ ଅତିରିକ୍ତ ନିର୍ଦ୍ଦେଶକ, ଅରବିନ୍ଦ ରାଉତରାୟଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ସ୍ମିତା ପାଣିଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ବିଶ୍ୱଜିତ ପାଲଙ୍କୁ କଟକସ୍ଥିତ ସିଟି ଜିଏସଟି କାର୍ଯ୍ୟାଳୟର ଅତିରିକ୍ତ ଆୟୁକ୍ତ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ବରିଷ୍ଠ ଅଧିକାରୀ ଶଶାଙ୍କ ଭୂଷଣ ମହାପାତ୍ରଙ୍କୁ ଓୟୁଏଟିର ଅର୍ଥ ନିୟନ୍ତ୍ରକ, ଏଲୋରା ମହାନ୍ତିଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, ଦିବାରାଣୀ ଦୋରାଙ୍କୁ ବିତ୍ତ ନିୟନ୍ତ୍ରକ କାର୍ଯ୍ୟାଳୟରେ ଅତିରିକ୍ତ ନିୟନ୍ତ୍ରକ ଏବଂ ପ୍ରଣତି ଛୋଟରାୟଙ୍କୁ ଭୁବନେଶ୍ୱରସ୍ଥିତ କୋଷାଗାର ନିରୀକ୍ଷକ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

Comment