ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆହୁରି ବଡ଼ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଚିଡ଼ିଆଖାନା ସହ ଆଉ ୧୫ଶହ ଏକର ଜଙ୍ଗଲ ଜମି ମିଶାଯିବ। କୃଷ୍ଣନଗର ଓ ଚୂଡ଼ଙ୍ଗଗଡ଼ରୁ ଏହି ଜମି ନନ୍ଦନକାନନ ଜଙ୍ଗଲରେ ମିଶାଇବା ପରେ ଏହାକୁ ବିଶ୍ଵସ୍ତରୀୟ ଚିଡ଼ିଆଖାନା କରାଯିବ। ସେହିଭଳି କିଆଖଣି ଓ କା‌ଞ୍ଜିଆ ହ୍ରଦର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ନିଆହେବ। ମଙ୍ଗଳବାର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନନ୍ଦନକାନନ ପରିଦର୍ଶନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରାଯିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରୋପ-ୱେ କାର୍ଯ୍ୟକ୍ଷମ କରାଯିବା ଓ ବୋଟିଂ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ ସ୍ଥିତ କାଞ୍ଜିଆ ହ୍ରଦର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପରେ ଏଠାରେ ଥିବା ସିଂହ ସଫାରିକୁ ଚୂଡ଼ଙ୍ଗଗଡ଼ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସମ୍ପ୍ରସାରଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୁପକ୍ଷଙ୍କୁ ପଠାଯିବ।

ମଙ୍ଗଳବାର ମନ୍ତ୍ରୀ ପ୍ରଦୀପ ଅମାତ ପ୍ରାଣୀ ଉଦ୍ୟାନରେ ପହଞ୍ଚି ଚାଲିଥିବା କାର୍ଯ୍ୟର ତଦାରଖ କରିବା ସହ ପ୍ରାଣୀ ଉଦ୍ୟାନ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଠାରେ ସେ ବିଭିନ୍ନ ଜୀବଜନ୍ତୁଙ୍କ ସେଲ ମଧ୍ୟ ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ନନ୍ଦନକାନନର ପରିସୀମା ୧ହଜାର ଏକର ରହିଛି ସମ୍ପ୍ରସାରଣ ପରେ ଏହା ୨୫୦୦ ଏକରକୁ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଶେଷ ହେଲେ ଏହି ପ୍ରାଣୀ ଉଦ୍ୟାନ ଏକ ନୂତନ ରୂପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।

Tags: #Nandankanan #Wildlifepark #Development #IncreaseinArea #Tourists

Comment