ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଆର୍ଥିକ ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କରୋନା ମହାମାରୀ ପରଠାରୁ ବିଶେଷ କରି ଏହି ସ୍ଥିତି ସଙ୍ଗୀନ ହୋଇଛି। ବର୍ତ୍ତମାନ ସରକାର କେବଳ କରୋନା ପାଇଁ ହିଁ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରୁଛନ୍ତି। ଅନ୍ୟ ଜନକଲ୍ୟାଣ କାର୍ଯ୍ୟକ୍ରମ ବସ୍ତୁତଃ ବନ୍ଦ ରହିଛି।

ସରକାରଙ୍କ ରାଜସ୍ୱ ଆଦାୟ ଗୋଟିଏ ପଟେ କମି କମି ଯାଉଛି। ମେ’ ମାସରେ ଯେତିକି ଟଙ୍କା ରାଜସ୍ୱ ବାବଦକୁ ଆସିଥାନ୍ତା ତାହା ଆସିନାହିଁ। ତାଲାବନ୍ଦ ଯୋଗୁଁ ସରକାରଙ୍କ ରୋଜଗାର ଉପରେ ସିଧାସଳଖ ପ୍ରଭାବ ପଡିଛି। ଚଳିତ ଏପ୍ରିଲ ମାସଠାରୁ ରାଜସ୍ୱ ଆଦାୟ ତଳମୁହାଁ ହୋଇଛି, ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଏପ୍ରିଲ ମାସରେ ସରକାରଙ୍କ ରାଜସ୍ୱ ଆଦାୟ ୧୧୨୬କୋଟି ଥିବାବେଳେ ମେ’ ମାସରେ ଏହା ୮୨୭କୋଟିକୁ ଖସି ଆସିଛି। ଜିଏସଟି ବାବଦକୁ କେନ୍ଦ୍ର ସରକାରଙ୍କଠାରୁ ଯେଉଁ ଅର୍ଥ ପାଇବା କଥା ତାହାବି ହ୍ରାସ ପାଇଛି। ଏପ୍ରିଲ ମାସରେ ଜିଏସଟି ବାବଦକୁ ୫୭୮ କୋଟି ଟଙ୍କା ମିଳିଥିବାବେଳେ ମେ’ ମାସରେ ମାତ୍ର ୧୬୦କୋଟି ଟଙ୍କା ମିଳିଛି। ରାଜ୍ୟର ନିଜସ୍ୱ ରାଜସ୍ୱ କମିବା ଓ କେନ୍ଦ୍ର ଭାଗରେ ହ୍ରାସ ପାଇଥିବାରୁ ସରକାରଙ୍କ ଆର୍ଥିକ ହିସାବ ଚିତ୍‌ପଟାଙ୍ଗ ମାରିଛି।

ଆଗକୁ ଆହୁରି କଷ୍ଟ ସମୟ ଆସୁଥିବାରୁ ସରକାର କିଭଳି ଆର୍ଥିକ ସ୍ଥିତିକୁ ସଜାଡ଼ିବେ ସେ ନେଇ ଚିନ୍ତା ପ୍ରକଟ ହୋଇଛି।

Comment