ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ରେ ଜି-୨୦ ଶିଖର ସମ୍ମିଳନୀ
  • ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ‘ଭାରତ ମଣ୍ଡପମ’ରେ ଏକାଠି ହେବେ ବିଶ୍ଵନେତା
  • ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀରେ ସାଜସଜ୍ଜା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି-୨୦ ଶିଖର ସମ୍ମିଳନୀ ପାଇଁ ଚଳଚଞ୍ଚଳ ହୋଇଛି ନୂଆଦିଲ୍ଲୀ। ବିଶ୍ଵର ଅନେକ ବିଶିଷ୍ଟ ରାଜନେତା ତଥା ଅଧିକାରୀମାନଙ୍କୁ ସ୍ଵାଗତ କରିବାପାଇଁ ସଜେଇ ହେଉଛି ଜାତୀୟ ରାଜଧାନୀ। ସହରରେ ସବୁଆଡ଼େ ଜି-୨୦ର କ୍ରେଜ ଦେଖିବାକୁ ମିଳୁଛି। ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଏହି ମେଗା ସମ୍ମିଳନୀ ପାଇଁ ସବୁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତବର୍ଷ ଜି-୨୦ ସମ୍ମିଳନୀ ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଇଣ୍ଟରନାସନାଲ ଏଗଜିବିସନ୍ ତଥା କନଭୋକେସନ ସେଣ୍ଟର ‘ଭାରତ ମଣ୍ଡପମ’ ହେବ। ସମ୍ମିଳନୀକୁ ଆକର୍ଷଣୀୟ କରିବା ପାଇଁ ପ୍ରଗତି ମୈଦାନ ସହ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ରାସ୍ତା କଡ଼ରେ ଫୁଲ ଗଛ, ଶୋ ଗଛ ଓ ୱାଟର ଫାଉଣ୍ଟେନ ଆଦି ଲଗାଯାଇଛି। ସେହିପରି ସହରର ଅନେକ କାନ୍ଥବାଡ଼ରେ ବିଭିନ୍ନ ଚିତ୍ର ସବୁ ଅଙ୍କା ଯାଇଛି।

ଦିଲ୍ଲୀର ଅଧିକାଂଶ ସ୍ଥାନରେ ଜି-୨୦ ସମ୍ମିଳନୀର ବଡ଼ ବଡ଼ ହୋର୍ଡିଂ ସବୁ ଲଗାଯାଇଛି। ହୋର୍ଡିଂରେ ଜି-୨୦ର ଲୋଗୋ ସହ ‘ବସୁଧୈବ କୁଟୁମ୍ବକମ୍’ ଲେଖାଯାଇଛି। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦାରଖ କରାଯାଉଛି।

ସେହିପରି ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ଵାଗତ କରିବା ପାଇଁ ଦିଲ୍ଲୀର ତାରକା ହୋଟେଲମାନେ ଲାଗି ପଡ଼ିଛନ୍ତି। କେଉଁ ହୋଟେଲରେ କେଉଁ ରାଜନେତା ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି। ଅତିଥିମାନଙ୍କ ପାଇଁ ହୋଟେଲଗୁଡ଼ିକ ସଜେଇ ହେଉଥିବାବେଳେ ହୋଟେଲର ସେଫମାନେ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

ଅନ୍ୟପଟେ ଜି-୨୦ ଭଳି ମେଗା କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଅନେକ ମାତ୍ରରେ କଡ଼ାକଡ଼ି କରାଯାଇଛି। ସମ୍ମିଳନୀବେଳେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ୍ ଏବେ ଜୋରଦାର ରିହରସଲ ଜାରି ରଖିଛି। ସହରର ଅନେକ ସ୍ଥାନରେ ପରାମିଲିଟାରୀ ଫୋର୍ସ ଓ ଏନଏସଜି କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀକୁ ନଜରରେ ରଖି ସବୁ ସ୍କୁଲ ଓ ଅଫିସ ବନ୍ଦ ରଖିବାକୁ ଯୋଜନା ହୋଇଛି। ସମ୍ମିଳନୀବେଳେ ଦିଲ୍ଲୀର ଅନେକ ରାସ୍ତା ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ସେହିପରି କେତେକ ନିର୍ଦ୍ଦିଷ୍ଟ ରୁଟରେ ଦିଲ୍ଲୀ ମେଟ୍ରୋର ମଧ୍ୟ ଚଳାଚଳକୁ ବନ୍ଦ କରାଯିବ। ଏଥିପାଇଁ ସ୍ଵତନ୍ତ୍ର ଏସଓପି ଜାରି କରାଯାଇଛି।

Tags: #G-20Summit2023 #NewDelhi #Beautification #Development #Security #India

 

LEAVE A REPLY

Please enter your comment!
Please enter your name here