ଓଡ଼ିଶାଲାଇଭ୍ ବ୍ୟୁରୋ

ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶବ୍ୟାପି ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଛି। ଏହି ଯାତ୍ରା ୩ ହଜାର ୭୫୦ କିଲୋମିଟର ପରିକ୍ରମା କରିବ। ୧୫୦ ଦିନ ଯାଏଁ ଏହା ଚାଲିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କ ସମର୍ଥନ ରହୁଥିବାରୁ ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନ ସାରା ଦେଶରେ ମଜବୁତ ହେବା ସହ ଦଳ ନୂଆ ରୂପରେ ଆସିବ ବୋଲି ଓଡ଼ିଶାଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଓଡ଼ିଶା କଂଗ୍ରେସ ନେତା ତଥା ଗୁଜରାଟ କଂଗ୍ରେସର ପୂର୍ବତନ ସହ-ପ୍ରଭାରି ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତି।

“ଦେଶର ସଂଘୀୟ ଢ଼ାଞ୍ଚା ବିପନ୍ନ ହେବା ସହିତ ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଦେଶର ଯୁବପିଢ଼ି ଓ ଚାଷୀ ଭାଇମାନେ ଚାପଗ୍ରସ୍ତ ରହୁଛନ୍ତି। ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି। ‘ଭାରତ ଯୋଡ଼ୋ’ ପଦଯାତ୍ରା ଏ ସମସ୍ତ ସମସ୍ୟାର ସମାଧାନର ବାଟ କାଢ଼ିବ। ଏହା କଂଗ୍ରେସକୁ ମଜବୁତ କରିବା ସହ ଭାରତର ଅଖଣ୍ଡତାକୁ ରକ୍ଷା କରିବା ପାଇଁ କଂଗ୍ରେସ ଯେଉଁ ସଂକଳ୍ପ ନେଇଛି ତାହା ପୂରଣ କରି ପୁଣି ଥରେ ଜନସାଧାରଣଙ୍କ ଆସ୍ଥା ଭାଜନ କରିବ ବୋଲି ଆମର ବିଶ୍ଵାସ”, କହିଛନ୍ତି ଡକ୍ଟର ବିଶ୍ଵରଞ୍ଜନ ମହାନ୍ତି ।

“ଏ ଯାତ୍ରା ହେଉଛି ସ୍ଵାଧୀନ ଭାରତର ଏକ ଐତିହାସିକ ପଦଯାତ୍ରା। ଧ୍ୱସ୍ତବିଧ୍ୱସ୍ତ ହେବାକୁ ଯାଉଥିବା ଦେଶର ସାମାଜିକ, ଅର୍ଥନୈତିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ଏବେ ଅପରିହାର୍ଯ୍ୟ ହୋଇ ପଡ଼ିଛି। ଲୋକଙ୍କ ନିକଟତର ହୋଇ ଏଦିଗ ପ୍ରତି ସଚେତନତା ସୃଷ୍ଟି କରି ଏହାକୁ ରକ୍ଷା କରିବା ହେଉଛି ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ”, କହିଛନ୍ତି କଂଗ୍ରେସ ନେତା ଡକ୍ଟର ବିଶ୍ଵରଞ୍ଜନ ମହାନ୍ତି।

ଦେଶରେ ଲୋକମାନଙ୍କ ମଧ୍ୟରେ ଭାଇଚାରାର ପ୍ରଚାର କରିବା ପାଇଁ ‘ଭାରତ ଯୋଡ଼ୋ’ ଯାତ୍ରା ଆଗେଇ ଚାଲିଛି। ଏ ଯାତ୍ରାରେ କେବଳ କଂଗ୍ରେସ ନୁହେଁ ଲକ୍ଷ ଲକ୍ଷ ସଂଖ୍ୟାରେ ବୁଦ୍ଧିଜୀବୀ, ମହିଳା, ଯବପିଢ଼ି, ଛାତ୍ରଛାତ୍ରୀ, ବହୁ ଚାଷୀ ସଂଗଠନ, ଏନଜିଓ ଆଦି ସାମିଲ ହୋଇଥିବା କହିଛନ୍ତି ଶ୍ରୀ ବିଶ୍ଵରଞ୍ଜନ ମହାନ୍ତି।

କଂଗ୍ରେସର ଇତିହାସ ଖୁବ ମଜବୁତ ଏବଂ ଏହାକୁ ଭାରତର ସାଧାରଣ ଜନତା ହିଁ ତିଆରି କରିଛନ୍ତି। ଆଗାମୀ ଦିନରେ କଂଗ୍ରେସ ଏକ ନୂଆ ସ୍ଥିତିରେ ଆସିବ। କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ’ ଯାତ୍ରାରେ ଭବିଷ୍ୟତର ପ୍ରଚାର ପ୍ରସାର କରିବା ଏବଂ ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଏହି ଅଭିଯାନରେ ଅଧିକରୁ ଅଧିକ ଲୋକ ସାମିଲ ହେବା ପାଇଁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଉଛି।

Tags: #RahulGandhi #BharatJodoJatra #CongressParty #DrBiswaranjanMohanty #OdishaNews

LEAVE A REPLY

Please enter your comment!
Please enter your name here