ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀଦଣ୍ଡ। ବୁଧବାର ସୁପ୍ରିମକୋର୍ଟ ଏହି ମାମଲାରେ ଦୋଷୀ ଅକ୍ଷୟ ସିଂ’ର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ମିଳିବା ପକ୍କା ହୋଇଯାଇଛି।
ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ଅକ୍ଷୟ ସିଂ ଫାଶୀଦଣ୍ଡର ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ବିଚାର କରି ସୁପ୍ରିମକୋର୍ଟ ନିଜର ରାୟ ପ୍ରକାଶ କରିଛନ୍ତି। ମାମଲାର ବିଚାର ସମୟରେ ସଲିସିଟର ଜେନେରାଲ୍ କୋର୍ଟରେ ଦୋଷୀ ଅକ୍ଷୟ ସିଂ’କୁ ଫାଶୀ ଦେବାକୁ ଜୋରଦାର ଦାବି କରିଥିଲେ। ଦୋଷୀଜଣକ ତା କର୍ମ ପାଇଁ କ୍ଷମା ପାଇବାକୁ ଯୋଗ୍ୟ ନୁହେଁ ବୋଲି ସେ ଯୁକ୍ତି କରିଥିଲେ। ତେଣୁ ତୁରନ୍ତ କୋର୍ଟ ଏହାକୁ ଖାରଜ କରନ୍ତୁ ଏବଂ ଅଭିଯୁକ୍ତମାନେ ଫାଶୀଦଣ୍ଡ ପାଆନ୍ତୁ ବୋଲି ସଲିସିଟର ଜେନେରାଲ୍ କହିଥିଲେ।
ମଙ୍ଗଳବାର ଏହି ମାମଲାରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ ଓହରିଯିବାପରେ, ଜଷ୍ଟିସ୍ ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।