ଅଶୋକ ବହିଦାର
ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ରଙ୍ଗମହଲ’। ଏହି ମଞ୍ଚରେ ୧୧ ଦିନ ଧରି ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ।
ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ‘ରଙ୍ଗମହଲ’। ମହାରାଜା କଂସ ଏହି ନୃତ୍ୟ, ଗୀତକୁ ଉପଭୋଗ କରନ୍ତି। ବହୁ କଳାକାର ମଧ୍ୟ ଏହି ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
ବରଗଡ଼ ଧନୁଯାତ୍ରାରେ ‘ରାଜଦରବାର’ ପରେ ଆଉ ଯେଉଁ ଏକ ମଞ୍ଚର ବେଶ୍ ମାନ୍ୟତା ରହିଛି, ତାହା ହେଉଛି ‘ରଙ୍ଗମହଲ’। ହାଟପଦାର ରାଜଦରବାରର ଜନଗହଳିକୁ ଦୃଷ୍ଟିରେ ରଖି ‘ରଙ୍ଗମହଲ’ର ପରିକଳ୍ପନା କରାଯାଇଥିଲା। ୨୦୦୮ରେ ରାଜଦରବାର ଓ ଅନ୍ୟାନ୍ୟ ମଞ୍ଚରେ ଧନୁଯାତ୍ରାର ନାଟକୀୟତା ପ୍ରଦର୍ଶିତ ହୋଇଥାଏ। ଅଥଚ ‘ରଙ୍ଗମହଲ’ରେ ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ ଅନେକଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥାଏ। ମୁଖ୍ୟତଃ ଧନୁଯାତ୍ରାର ଦ୍ୱିତୀୟ ଦିବସରୁ ପଞ୍ଚମ ଦିବସ ପର୍ଯ୍ୟନ୍ତ ‘ରଙ୍ଗମହଲ’ ଚଳଚଞ୍ଚଳ ହୋଇଉଠେ।
ରାଜ୍ୟ ତଥା ବାହାରୁ ଆସନ୍ତି କଳାକାର
ରଙ୍ଗମହଲରେ ସ୍ଥାନୀୟ କଳାକାରମାନଙ୍କ ସହିତ ରାଜ୍ୟ, ରାଜ୍ୟବାହାର ଓ ବିଦେଶର କଳାକାରମାନେ ଏଇ ମଞ୍ଚରେ ଗୀତ, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଆସୁଛନ୍ତି। ପଶ୍ଚିମ-ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଅନ୍ୟାନ୍ୟ ପାରମ୍ପରିକ ଲୋକନୃତ୍ୟ ଏଇ ମଞ୍ଚରେ, ପ୍ରତି ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥାଏ।
ଆସାମରେ ‘ବିହୁ’ ରାଜସ୍ଥାନରେ ‘ଘୁମର୍’, ଗୁଜୁରାଟରେ ‘ଗରବା’, ପଞ୍ଜାବର ‘ଭାଙ୍ଗଡା’, ମହାରାଷ୍ଟ୍ରର ‘ଲାବଣୀ’, ଆଦି ରାଜ୍ୟର ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟକଳା ଏଇଠି ଦେଖାଇଥାନ୍ତି। ବିଦେଶାଗତ କଳାକାରମାନେ ନିଜ ଅଞ୍ଚଳର ନୃତ୍ୟ ମଧ୍ୟ ପରିବେଷଣ କରିଥାନ୍ତି।
କଂସ ଉପଭୋଗ କରନ୍ତି ନୃତ୍ୟ, ଗୀତ
ଏହି ମଞ୍ଚକୁ ପରିଚାଳନା କରିଥାନ୍ତି କଂସଙ୍କ ପାରିଷଦର ଏକ ଚରିତ୍ର ଉପରେ ଅଭିନୟ କରୁଥିବା କଳାକାର। କଂସ ପ୍ରତି ସନ୍ଧ୍ୟାରେ ଏଇ ମଞ୍ଚକୁ ଆସନ୍ତି। ତାଙ୍କୁ ଏହି ମଞ୍ଚରେ ବି ଦିଆଯାଇଥାଏ ରାଜକୀୟ ସ୍ୱାଗତ ଓ ସମ୍ବର୍ଦ୍ଧନା। ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ସମୟ ଉପଭୋଗ କରିବା ପରେ, କଂସ ସେଇଠୁ ଚାଲିଯାନ୍ତି ରାଜଦରବାରକୁ। ନିଶାମଣି ହାଇସ୍କୁଲ ପଡ଼ିଆରେ ନିର୍ମିତ ଏଇ ରଙ୍ଗମହଲ ମଞ୍ଚ ସାମ୍ନାରେ ଅଗଣିତ ଦର୍ଶକଙ୍କ ଗହଳି ହୋଇଥାଏ। ଶୀତକୁ ଖାତିର ନକରି ଧନୁଯାତ୍ରା ସମୟରେ ଏହି ପଡ଼ିଆରେ ଦର୍ଶକ ଓ ପ୍ରଦର୍ଶକ ମଧ୍ୟରେ ବେଶ୍ ସମ୍ପର୍କଟିଏ ଗଢ଼ିଉଠେ।
ରଙ୍ଗମହଲ ଦିଏ କଳାକାରଙ୍କୁ ସୁଯୋଗ
‘ରଙ୍ଗମହଲ’ ଏକ ଦଶନ୍ଧି ଧରି ଅନେକ କଳାକାରମାନଙ୍କୁ ସୁଯୋଗ ଦେଇ ଆସୁଛି। ପ୍ରତିଟି କଳକାର ଓ ଦଳ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଏଇ ରଙ୍ଗମଞ୍ଚରେ କଳା ପ୍ରଦର୍ଶନକୁ ନେଇ ନିଜକୁ ଗର୍ବିତ ମନେ କରିଥାନ୍ତି। ଅନ୍ୟପକ୍ଷରେ ସବୁ ଅଞ୍ଚଳର କଳାକାରମାନଙ୍କୁ ସୁଯୋଗ ଦେଇ ଆୟୋଜକମାନେ ଖୁସି ବ୍ୟକ୍ତ କରିଥାନ୍ତି। ପ୍ରତିଟି କଳାକାର ତଥା ଦଳଙ୍କୁ କଳାପ୍ରଦର୍ଶନ ପାଇଁ କଂସଙ୍କ ନିର୍ଦ୍ଦେଶରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଗୁରୁ ବା ନିର୍ଦ୍ଦେଶକମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥାଏ।
‘ରଙ୍ଗମହଲ’ରେ ଯେଉଁ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥାନ୍ତି, ସେମାନେ ‘ରାଜଦରବାର’ ଏବଂ ଅମ୍ବାପାଲିର ନନ୍ଦ ରାଜାଙ୍କ ‘ଦରବାର’ରେ ମଧ୍ୟ କଳା ପ୍ରଦର୍ଶନ କରିଥାନ୍ତି। ପ୍ରଦର୍ଶନକୁ ନେଇ ଏକ ପରମ୍ପରା ରହିଛି ଯେ ‘ରାଜଦରବାର’ରେ କିମ୍ବା ‘ରଙ୍ଗମହଲ’ରେ କୃଷ୍ଣ ଆଧାରିତ ଗୀତ, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବା ମନା। ଯଦି ବି କେହି ଅଜାଣତରେ ପରମ୍ପରାକୁ ମାନନ୍ତି ନାହିଁ, ତାଙ୍କୁ ତାଗିଦ କରାଯାଇଥାଏ। ଏହା ଧନୁଯାତ୍ରାର କଂସଙ୍କ ପାଇଁ ସମ୍ମାନବୋଧ ବୋଲି କୁହାଯାଇଥାଏ।
ଜାତୀୟ ସଂହତିର ବାର୍ତ୍ତା ଦିଏ ରଙ୍ଗମହଲ
ରଙ୍ଗମହଲ କେବଳ ଏକ ସାଂସ୍କୃତିକ ମଞ୍ଚ ନୁହେଁ; ଜାତି, ଧର୍ମ ଓ ସମ୍ପ୍ରଦାୟର ଏହା ଏକ ସମନ୍ୱିତ ମଞ୍ଚ। ତା’ ସହିତ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଭିତରେ କଳା ମାଧ୍ୟମରେ ଏହା ସୃଷ୍ଟି କରିଥାଏ ଏକ ସଂହତିର ଚିତ୍ର। ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ କଳାକାରମାନେ ଭାବ ବିନିମୟ ସହିତ ଅନ୍ୟର ସଂସ୍କୃତି ଓ ପରମ୍ପରା ବିଷୟରେ ଅନେକ କଥା ଜାଣିପାରନ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ ‘ରଙ୍ଗମହଲ’ ହେଉଛି ବିଶ୍ୱସ୍ତରରେ ଏକ ମହାନ୍ ସାଂସ୍କୃତିକ ଆନ୍ଦୋଳନର ପ୍ରତିନିଧି।
ପ୍ରକୃତରେ ‘ରଙ୍ଗମହଲ’ ବରଗଡ଼ର ଧନୁଯାତ୍ରା ସାଂସ୍କୃତିକ ପରିସରକୁ ବୃଦ୍ଧି କରିବାରେ ବିଶେଷ ଭୂମିକା ନେଇଛି। ସବୁ ଶ୍ରେଣୀର କଳାକାରମାନଙ୍କୁ ଗୋଟିଏ ଛାତ ତଳେ ଏକାକାର ହେବାର ସୁଯୋଗ ଦେଇଛି। ଲୋକକଳା, ଶାସ୍ତ୍ରୀୟ,, ଆଦିବାସୀ ତଥା ଆଧୁନିକ ଗୀତ, ସଙ୍ଗୀତ ଓ ନୃତ୍ୟକଳାର ମିଶ୍ରଣରେ ରଙ୍ଗମହଲ ଏକ ସାଂସ୍କୃତିକ ମହାକୁମ୍ଭ ବୋଲି କହିବାଟା ଯଥାର୍ଥ ମନେହୁଏ।
ପ୍ରତିଥରର ଧନୁଯାତ୍ରାର ପରିସମାପ୍ତି ପରେ ନିଶାମଣି ହାଇସ୍କୁଲ୍ ପଡ଼ିଆଟା ଅନେକ ଦିନ ଧରି ଖାଲି ଖାଲି ଲାଗୁଥାଏ। ହେଲେ ସେ ଖାଲିପଣ ଭିତରେ ବାରମ୍ବାର ଗୁଂଜରିତ ହେଉଥାଏ ଦର୍ଶକଙ୍କ କାନରେ ନୃତ୍ୟଶିଳ୍ପୀମାନଙ୍କର ଘୁଙ୍ଗୁରର ଶବ୍ଦ। ଆଖି ଆଗରେ ଭାସିଯାଉଥାଏ ଅନେକ କଳାକାରଙ୍କ ଚିହ୍ନା ଚିହ୍ନା ମୁହଁ। ଗୀତ ଓ ସଙ୍ଗୀତର ମୁର୍ଚ୍ଛନା ପ୍ରତିଧ୍ୱନିତ ହେଉଥାଏ ପ୍ରତିଟି ଦର୍ଶକଙ୍କ ହୃଦୟରେ। କଳାକାରମାନେ ଚାଲିଯାଆନ୍ତି ନିଜ ନିଜର କଳା ପ୍ରଦର୍ଶନ କରି, ହେଲେ ଛାଡ଼ିଯାଇଥାଆନ୍ତି ଅନେକ ସ୍ମୃତିକୁ। ସେ ସ୍ମୃତିକୁ ଆଧାରକରି ରଙ୍ଗମହଲ ଅପେକ୍ଷା କରିଥାଏ ଆଗାମୀ ଧନୁଯାତ୍ରାରେ କଳାକାରମାନଙ୍କୁ ସ୍ୱାଗତ କରିବାକୁ।