ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଗତ ୫ ବର୍ଷ ଭିତରେ ଦିଲ୍ଲୀର ଅନେକ ବିକାଶମୂଳକ କାମ ହୋଇଛି। ଏସବୁକୁ ନେଇ ଦିଲ୍ଲୀର ଘର ଘର ବୁଲି ଭୋଟ୍ ମାଗିବି। ଯଦି ମୁଁ ଭଲ କରିଛି ତାହାଲେ ମତେ ଭୋଟ୍ ଦେବ, ନାହିଁ ତ ଭୋଟ୍ ଦେବନି’’, କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।
ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ହେବ। ଏଥିପାଇଁ ନିର୍ବାଚନ କମିଶନର ସୁନିଲ ଅରୋରା ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ବିଗୁଲ ବାଜିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପାଇଁ ତାଙ୍କ ଦଳ ଆମ୍ ଆଦ୍ମୀ ପାର୍ଟି ପ୍ରସ୍ତୁତ ରହିଥିବା ସେ କହିଛନ୍ତି।
‘‘ଦିଲ୍ଲୀବାସୀ ଏଥର କାମ ଦେଖି ଭୋଟ୍ ଦେବେ। ଗତ ୫ ବର୍ଷ ଭିତରେ ଆମେ ଦିଲ୍ଲୀରେ ସ୍କୁଲ ଓ କଲେଜ ନିର୍ମାଣ କରିଛୁ। ୭୦ ବର୍ଷ ଭିତରେ ଯାହା ହୋଇ ନଥିଲା ତାହା ଗତ ୫ ବର୍ଷ ଭିତରେ ସମ୍ଭବ ହୋଇଛି। ଆମ କାମ ଦେଖି ଲୋକ ଆମକୁ ଖୁସିରେ ଭୋଟ ଦେବେ’’, କହିଛନ୍ତି କେଜରିୱାଲ।
‘‘ଦିଲ୍ଲୀରେ ଯେଉଁ ସ୍କୁଲ ନିର୍ମାଣ ହୋଇଛି ସେଥିରେ ସବୁ ଦଳର ପିଲାଙ୍କ ପାଠ ପଢୁଛନ୍ତି। ଆମେ ସବୁ ଦଳର ଲୋକଙ୍କ ପାଖକୁ ଯିବୁ ଏବଂ ଭୋଟ୍ ମାଗିବୁ। ସକରାତ୍ମକ ମନୋଭାବ ନେଇ ଆମେ ନିର୍ବାଚନ ଲଢ଼ିବୁ’’, କହିଛନ୍ତି କେଜରିୱାଲ।

















