ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ କମିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କ୍ରେଜ। ଆମଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ଲଢ଼େଇରେ ପଛରେ ପକାଇଲେ ବିଜେପି ପ୍ରାର୍ଥୀ ପରବେଶ ବର୍ମା।
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ୁଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଏହି ଆସନରେ କେଜ୍ରିଓ୍ଵାଲଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ପରବେଶ ବର୍ମା।
ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ପରଭେଶ ବର୍ମାଙ୍କୁ ୨୮,୨୩୮ ଖଣ୍ଡ ଭୋଟ ମିଳିଥିବା ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମିଳିଛି ୨୪,୪୪୯ ଖଣ୍ଡ ଭୋଟ। ପ୍ରାୟ ୩ ହଜାର ୭ ଶହରୁ ଅଧିକ ଭୋଟରେ ପରଭେଶ ବର୍ମାଙ୍କଠାରୁ ପଛରେ ପଡ଼ିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ।
ଶନିବାର ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ଫଳାଫଳ ଆସୁଛି। ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ବିଜେପି ଆଗୁଆ ରହିଥିଲା। ନିର୍ବାଚନୀ ଟ୍ରେଣ୍ଡ ଅନୁସାରେ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢ଼ିବାର ବାଟ ଫିଟୁଛି।
ଶନିବାର ଦିନ ୧୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୭୦ ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ବିଜେପି ୪୩ଟି ଆସନରେ ଆଗୁଆ ରହିଥିବାବେଳେ ଆମ ଆଦମୀ ପାର୍ଟି ୨୭ଟି ଆସନରେ ଆଗୁଆ ରହିଥିଲା। ସେହିପରି ଗୋଟିଏ ଦୁଇଟି ଆସନରେ କଂଗ୍ରେସ ଟକ୍କର ଦେଇଥିବା ଦେଖିବାକୁ ମିଳିଥିଲା।
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଫେବ୍ରୁଆରି ୫ ତାରିଖରେ ହୋଇଥିଲା ମତଦାନ। ତେବେ ଏହି ନିର୍ବାଚନ ପାଇଁ ଆସିଥିବା ଏଗଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଟ୍ରେଣ୍ଡିଂ ଅନୁସାରେ ଏଗଜିଟ୍ ପୋଲ ଆକଳନ ସତ ହେବାର ସମ୍ଭାବନା ରହିଛି।
ଶନିବାର ଭୋଟ ଗଣତି ଆରମ୍ଭରୁ ହିଁ ଆମ ଅଦମୀ ପାର୍ଟିର ବାରିଷ୍ଠ ନେତାମାନେ ପଛୁଆ ରହିଥିବା ଦେଖିବାକୁ ମିଳିଛି।
Tags: #DelhiAssemblyElection2025 #Results #ArvindKejriwal #ParveshVerma #BJP #AAP #Congress #Politics