ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅଷ୍ଟମ ଦିନରେ ପହଞ୍ଚିଛି। ଅଷ୍ଟମ ଦିବସରେ ମହାରାଜା କଂସଙ୍କ ଆଦେଶ ପାଇ ଗୋପପୁର ପହଞ୍ଚିଛନ୍ତି ମହାମନ୍ତ୍ରୀ ଅକ୍ରୁର। ରାସ୍ତାରେ ଯମୁନା ନଈ ପଠାରେ କୃଷ୍ଣ ପାଦ ଦର୍ଶନ କରି ଭାବବିହ୍ୱଳ ହୋଇପଡିଛନ୍ତି ମହାମନ୍ତ୍ରୀ ଅକ୍ରୃର। ସେହିପରି ଅଷ୍ଟମ ଦିବସରେ ଦେବରାଜ ଇନ୍ଦ୍ର ରମ୍ଭା ମେନକାଙ୍କ ନୃତ୍ୟରେ ମସଗୁଲ ଥିବା ସମୟରେ କଂସଙ୍କ ସୈନ୍ୟବାହିନୀ ଆକ୍ରମଣ କରିଛନ୍ତି ସ୍ୱର୍ଗପୁରୀରେ।

ନାରଦଙ୍କ ପରାମର୍ଶ କ୍ରମେ ଧନୁଯାତ୍ରାର ଆୟୋଜନ କରି ମହାରାଜ କଂସ ଦୁଇ ଭାଇ କୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି। ମହାରାଜ କଂସଙ୍କ ନିର୍ଦ୍ଦେଶ ଅନୁସାରେ ପୁରାତନ ମନ୍ତ୍ରୀ ଅକ୍ରୁର ହରିନାମ ଗାଇ ଗାଇ ବାହାରିଛନ୍ତି ଗୋପପୁର ଅଭିମୁଖେ। ଯମୁନା ନଦୀ ପାରି ହୋଇ ନଈ ପଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ମନ୍ତ୍ରୀ ଅକ୍ରୁର।

ଯମୁନା ନଈ ନିକଟସ୍ଥ ବୃନ୍ଦାବନ ପଡ଼ିଆରେ ପହଞ୍ଚି ହଠାତ୍ ଗୋପାଳଙ୍କ ସହ ଗୋଚାରଣ କରୁଥିବା ଶ୍ରୀକୃଷ୍ଣଙ୍କୁ ଦେଖି ରଥରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ବିଷ୍ଣୁ ଭକ୍ତ ଅକ୍ରୁର। ଗୋଳକ ବିହାରୀଙ୍କ ଦର୍ଶନ ପରେ ନିଜକୁ ଧନ୍ୟ ମନେ କରିବା ସହ ଆଖି ଲୁହରେ ଆପେ ଆପେ ଗଦ୍‌ଗଦ୍ ହୋଇ ପଡ଼ିଛି।

ପରେ କୃଷ୍ଣ ବଳରାମଙ୍କୁ ଅକ୍ରୁର ଆସିବାର ଅଭିପ୍ରାୟ କହିବା ସହ ନନ୍ଦଭବନ ପହଞ୍ଚି ମହାରାଜା କଂସଙ୍କ ଚିଟାଉ ନନ୍ଦରାଜାଙ୍କୁ ହସ୍ତାନ୍ତର କରିଛନ୍ତି। ସେହିପରି ଗୋପାଳକଙ୍କ ସଙ୍ଗେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଚାରଣ, ବଣଭୋଜି, ଅନ୍ଧ ବ୍ରାହ୍ଣଣକୁ ଚକ୍ଷୁଦାନ, ଦୃଶ୍ୟ ଅଭିନୀତ ହୋଇଥିଲା। ଅନ୍ୟ ପକ୍ଷରେ ଗୋଚାରଣ କରୁଥିବା ସମୟରେ ଗୋପାଳମାନଙ୍କୁ ଉଭେଇ ନେଇଥିବା ଶଙ୍ଖଚୂଡ଼କୁ ବଧ କରି ଶଙ୍ଖମଣୀ ଉଦ୍ଧାର କରିଛନ୍ତି ଭଗବାନ ଶ୍ରୀକୃଷ୍ଣ।

ଏହାସହ ଭଗବାନ ଶ୍ରୀକୃଷ୍ଣ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ହୋଇ ପାରିଥିଲା ଅଷ୍ଟମ ଦିନରେ। ଅପରପକ୍ଷେ ଦେବତାମାନଙ୍କ ଚକ୍ରାନ୍ତ ଯୋଗୁଁ ମହାରାଜା କଂସ ଦିଗବିଜୟରେ ବାହାରି ସ୍ୱର୍ଗପୁରୀ ଆକ୍ରମଣ କରିଛନ୍ତି। ଏହାସହ ସ୍ଵର୍ଗପୁରୀକୁ ଯୁଦ୍ଧରେ ପରାସ୍ତ କରିବା ସହ ଦେବରାଜ ଇନ୍ଦ୍ରଙ୍କ ସମେତ ପତ୍ନୀ ସଚି, ନୃତ୍ୟାଙ୍ଗନା ରମ୍ଭା, ମେନକାଙ୍କୁ ବନ୍ଦୀ କରିଥିଲେ।

ଅନ୍ୟପକ୍ଷରେ ମହାରାଜା କଂସ ବିଜୁଳି କନ୍ୟାର ଶୂନ୍ୟବାଣୀକୁ ନେଇ ଚିନ୍ତିତ ଥିବା ସହ ନିଜକୁ ନୃତ୍ୟଗୀତରେ ମସଗୁଲ ରଖି ଚିନ୍ତାମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ସୁରକ୍ଷା ପାଇଁ ମଥୁରା ନଗରୀର ଚାରି ଦିଗରେ ମୁତୟନ କରଛନ୍ତି ସୈନ୍ୟସାମନ୍ତ। ମହରାଜାଙ୍କ ରାଜ ଦରବାରରେ ସମ୍ବଲପୁରୀ, ଓଡିଶୀ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକନୃତ୍ୟ ପରିବେଷିତ ହୋଇଥିଲା। ପୂର୍ବ ବର୍ଷ ପରି ମହାରାଜା କଂସ ଆଜିଠାରୁ ରାଜଦରବାର ପରିବର୍ତ୍ତେ ରଙ୍ଗମହଳରେ ସମସ୍ତ ରାଜକୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here