ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ଭୋଟ୍।
ଦିଲ୍ଲୀ ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି? ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦ୍ମୀ ପାର୍ଟି ନା ବିଜେପି? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ଏହି ପ୍ରଶ୍ନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ଏବେ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସରକାରରେ ରହିଛି। ଅରବିନ୍ଦ କେଜରିୱାଲ ପାଞ୍ଚ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହି ପାଞ୍ଚ ବର୍ଷ ଭିତରେ କେଜରିୱାଲଙ୍କ ସରକାର ଦିଲ୍ଲୀରେ ବିଜୁଳି ବ୍ୟବସ୍ଥାରେ ସୁଧାର ଆଣିବା ସହ ଅନେକ ସ୍କୁଲ କୋଠା ନିର୍ମାଣ କରିଥିବା କହୁଛନ୍ତି। ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ସମସ୍ୟା ଦୂର କରିବାରେ କେଜରିୱାଲ ସରକାର ସଫଳ ହୋଇଥିବା କୁହାଯାଉଛି। ଏହି ସଫଳତାକୁ ନେଇ କେଜରିୱାଲ ପୁଣି ଥରେ ଲୋକଙ୍କ ପାଖକୁ ଯିବା ପାଇଁ ଅଣ୍ଟା ଭିଡୁଥିବା ବେଳେ ବିଜେପି ତାଙ୍କୁ ଚେକ୍ ଦେବା ପାଇଁ ସଜବାଜ ହେଉଛି।
ଦିଲ୍ଲୀରେ କେଜରିୱାଲଙ୍କୁ ସିଧାସଳଖ ମୁକାବିଲା କରିବା ପାଇଁ ବିଜେପିରେ ସେମିତି କେହି ଆଖି ଦୃଶିଆ ଚେହେରା ନାହାନ୍ତି। ଦିଲ୍ଲୀ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବିଜେପିକୁ କେବଳ ମୋଦୀ ହିଁ ଭରସା। ମୋଦୀ ମ୍ୟାଜିକ୍କୁ ନେଇ ବିଜେପି କେଜରିୱାଲଙ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି।
ଏହାସହ ଗତ ୬ ମାସ ଭିତରେ ମେଦୀ ସରକାର ନେଇଥିବା ଐତିହାସିକ ପଦକ୍ଷେପକୁ ଦିଲ୍ଲୀ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ଦଳ ସଜବାଜ ହେଉଛି। ଜମ୍ମୁ କଶ୍ମୀରରୁ ୩୭୦ ଉଚ୍ଛେଦ, ତିନି ତଲାକ୍ ବିଲ୍, ଅଯୋଧ୍ୟା ରାମ ମନ୍ଦିର, ସିଏଏକୁ ନେଇ ବିଜେପି ପ୍ରଚାର ମଇଦାନକୁ ଓହ୍ଲାଇବ। ତେବେ ଏହା ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିପାରୁଛି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।
କଂଗ୍ରେସ ମଧ୍ୟ ଦିଲ୍ଲୀ ଦଖଲ କରିବା ରେସ୍ରେ ଯୋଡ଼ି ହୋଇଛି। ଘର ସଜାଡ଼ି ପୁରୁଣା ଗଡ଼ ଦଖଲ କରିବା ପାଇଁ କମର କଷୁଛି କଂଗ୍ରେସ। ଏବେ ସୋନିଆ ଗାନ୍ଧୀଙ୍କ ହାତରେ କଂଗ୍ରେସର କମାଣ ଥିବାରୁ ପୂର୍ବାପେକ୍ଷା ଦଳ ଭଲ କରିବ ବୋଲି ଆଶା ରହିଛି। ତାଛଡ଼ା ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କଂଗ୍ରେସ ସରକାରରେ ରହିଥିବାରୁ ଦିଲ୍ଲୀ ନିର୍ବାଚନ ପାଇଁ କର୍ମୀଙ୍କ ମନରେ ଜୋସ୍ ରହିଛି।
ଗତ ୨୦୧୫ ବିଧାନସଭା ନିର୍ବାଚନ ବେଳେ ବିଜେପି ଏବଂ କଂଗ୍ରେସ୍ ଚିତ୍ପଟ୍ଟାଙ୍ଗ ମାରିଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୧୪ରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା। ଏହାର ବର୍ଷକ ପରେ ଭାରତର ରାଜଧାନୀ ଦିଲ୍ଲୀରେ ନିର୍ବାଚନ ହୋଇଥିଲା। ସେତେବେଳେ ମୋଦୀଙ୍କ ହାୱା ସବୁଠି ରହିଥିବାରୁ ଦିଲ୍ଲୀରେ ବିଜେପି ଆସିବ ବୋଲି ଆଲୋଚନା ହେଲା।
ହେଲେ ସବୁ ଆଲୋଚନା ଏବଂ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କଲେ କେଜରିୱାଲ। ସମାଜସେବୀ ଆନ୍ନା ହଜାରେଙ୍କ ଆନ୍ଦୋଳନରୁ ପରିଚୟ ହାସଲ କରିଥିବା ଅରବିନ୍ଦ କେଜରିୱାଲ ରାଜନୀତିରେ ଯୋଗ ଦେଇ ବିଜେପି ଏବଂ ମୋଦୀ ହାୱାରେ ବ୍ରେକ୍ ଲଗାଇଥିଲେ। କେଜରିୱାଲଙ୍କ ନିର୍ବାଚନ ପ୍ରଚାର ଦିଲ୍ଲୀ ଭୋଟରଙ୍କ ମୁଡ୍ ବଦଳାଇ ଦେଇଥିଲା। ଦିଲ୍ଲୀ ଭୋଟର କେଜରିୱାଲଙ୍କୁ ସମର୍ଥନ କରିଥିଲେ।
୭୦ ଆସନରୁ ୨୦୧୫ରେ ଆପ୍ ୬୩ ଆସନ ପାଇଥିବା ବେଳେ ବିଜେପି ମାତ୍ର ୩ଟିରେ ସନ୍ତୁଷ୍ଟ ରହିଥିଲା। ଏଥର ବି କେନ୍ଦ୍ରରେ ମୋଦୀ ସରକାର ରହିଛି। ତେବେ ମୋଦୀ ହାୱା କେଜରିୱାଲଙ୍କ ଗଡ଼ରେ ପ୍ରବେଶ କରିପାରୁଛି ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀବାସୀ କେଜରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି ଉପରେ ପୁଣି ଥରେ ଭରସା କରୁଛନ୍ତି ନା ବିଜେପି, କଂଗ୍ରେସକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।