ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଏକ ସପ୍ତାହ ମଧ୍ୟରେ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ କଶ୍ମୀରରେ ଲମ୍ବା ସମୟ ଧରି ଇଣ୍ଟରନେଟ୍ ସେବା ବନ୍ଦ ରହିବା ସହ ଅନେକ ଅଞ୍ଚଳରେ ବିନା କାରଣରେ ଧାରା ୧୪୪ ଲାଗୁ କରିବାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ଆଗାମୀ ଏକ ସପ୍ତାହ ମଧ୍ୟରେ ଏଭଳି ପରିସ୍ଥିତିକୁ ହଟାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ସମ୍ବିଧାନରୁ ଧାରା ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମ କଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଦେଇଥିଲେ। ଏହାପରେ ସେଠାରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସରକାର ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍, ଏସ୍ଏମ୍ଏସ୍ ସେବାକୁ ବନ୍ଦ କରିଦେଇଥିଲେ। ଏଥିସହିତ ଅନେକ ସ୍ଥାନରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଥିଲା।ଏହାକୁ ବିରୋଧ କରି କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଏହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, “ଲମ୍ବା ସମୟ ଧରି କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବା ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ସରକାର ନିଜର ଶକ୍ତିର ଅପବ୍ୟବହାର କରିବା ସହ ଅନେକ ସ୍ଥାନରେ ବିନା କାରଣରେ ଧାରା ୧୪୪ ଲାଗୁ କରିଛନ୍ତି। ତରୁନ୍ତ ସରକାର ଏଭଳି ପରିସ୍ଥିତିକୁ ହଟାଇବା ସହ ଲୋକଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦିଅନ୍ତୁ।”
ଏଥିସହିତ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଗୋଟିଏ ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ କରନ୍ତୁ। ଜମ୍ମୁ କଶ୍ମୀରର ସମସ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ପୁଣିଥରେ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।