ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ବିଷୟରେ ଜାଣନ୍ତୁ।

ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ମଲ୍ଲିକାଶପୁର ଗ୍ରାମରେ ରହିଛି ‘ଶାନ୍ତିକାନନ’। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକିରମୋହନଙ୍କ ଜୀବନରେ ‘ଶାନ୍ତିକାନନ’ ସ୍ଥାନଟିର ବେଶ୍ ମହତ୍ତ୍ଵ ରହିଛି। ସାହିତ୍ୟର ଅମୂଲ୍ୟ ଲେଖାସବୁ ଏଇ ‘ଶାନ୍ତିକାନନ’ରେ ବସି ସେ ରଚନା କରୁଥିଲେ।

୧୯୪୮ମସିହା ଫେବ୍ରୁଆରି ୨୯ ତାରିଖରେ ଫକିରମୋହନ ସାହିତ୍ୟ ପରିଷଦକୁ ରାଧାମୋହନ ଗଡ଼ନାୟକ ଉଦ୍‌ଘାଟନ କରିଥିଲେ। ଫକିରମୋହନ ସାହିତ୍ୟର ପ୍ରସାରପ୍ରଚାର କରିବା ସହ ‘ଶାନ୍ତିକାନନ’ର ଉନ୍ନତି କରିବା ଥିଲା ପରିଷଦର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମଲ୍ଲିକାଶପୁର ଗ୍ରାମ ଶାନ୍ତିକାନନ ହୋଇ ଉଠେ ଚଳଚଞ୍ଚଳ। ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ସମାଗମରେ ସ୍ଥାନଟି ପୂରି ଉଠେ। ଫକିରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଏଠାରେ ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ, ନାଟକ ପରିବେଷଣ, ଚିତ୍ରକଳା ପ୍ରଦର୍ଶନୀ, ପୁସ୍ତକମେଳା, ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଓଡ଼ିଶାର ଏକ ସର୍ବପୁରାତନ ସାହିତ୍ୟାନୁଷ୍ଠାନର ମାନ୍ୟତା ପାଇଥିବା ଫକିରମୋହନ ସାହିତ୍ୟ ପରିଷଦ କଥାସମ୍ରାଟ ଫକିର ମୋହନଙ୍କ ଜନ୍ମଦିନକୁ ବାର୍ଷିକ ଉସବ ଭାବେ ପାଳନ କରିଥାଏ।

ବିଭିନ୍ନ ପ୍ରକାରର ଗଛ, ବାରମାସୀ ଫୁଲ ଓ ଫଳ, ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ପୂରି ଉଠେ ଶାନ୍ତିକାନନ। ପକ୍କା ଚୌବଚା ଭିତରେ କବି ବଡ଼ ସରାଗରେ ନାଲି ନେଳି ମାଛ ଛାଡ଼ିଥିଲେ। ଚାରିପଟେ ବୁଲିବା ପାଇଁ ଇଟା ଖଞ୍ଜି ରାସ୍ତା ନିର୍ମାଣ କରିବା ସହ ରାସ୍ତା କଡ଼ରେ ସୁନ୍ଦର ସୁନ୍ଦର ଗଛ ଲଗାଯାଇଥିଲା। ବସିବା ପାଇଁ ଅଗଣାରେ ବେଞ୍ଚ୍ ତା’ସାଙ୍ଗକୁ ନିଜର ଏକ ମୂର୍ତ୍ତି ମଧ୍ୟ ତିଆରି କରିଥିଲେ। ସର୍ବଧର୍ମ ସମନ୍ୱୟରେ ଦେଉଳାକୃତିର ଗୋଟିଏ ସୁନ୍ଦର ପୀଠ, ଫାଟକ ପାଖରେ ଦରୱାନ ମୂର୍ତ୍ତି। ନିଃସଙ୍ଗ କାଳରେ ଏଗୁଡ଼ିକ ଥିଲା ତାଙ୍କ ସହଚର। ଏମାନଙ୍କ ମେଳରେ ସେ ରାତିରାତି ବସି କବିତା ଲେଖୁଥିଲେ। ଏହି ସାଧନା ସ୍ଥଳରେ କଟିଛି ଫକିରମୋହନଙ୍କ ପରିଣତ ବୟସ।

LEAVE A REPLY

Please enter your comment!
Please enter your name here