ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍ରେ ବିଭିନ୍ନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଛି। ତେବେ କେଉଁ ସେକ୍ଟର ପ୍ରତି କେତେ ଟଙ୍କା ବ୍ୟୟବରାଦ ହୋଇଛି ଜାଣନ୍ତୁ।
ସ୍ୱଚ୍ଛ ଭାରତ ପାଇଁ ୧୨,୩୦୦ କୋଟି
ମୋଦୀ ସରକାରଙ୍କ ସବୁଠୁ ବଡ଼ ଫ୍ଲେକ୍ସିବୁଲ୍ କାର୍ଯ୍ୟକ୍ରମ ହେଉଛି ‘ସ୍ୱଚ୍ଛ ଭାରତ’। ପରିବେଶକୁ ସ୍ୱଚ୍ଛତା ରଖିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଚଳିତ ବଜେଟ୍ରେ ମଧ୍ୟ ‘ସ୍ୱଚ୍ଛ ଭାରତ’କୁ ଫୋକସ୍ ଦିଆଯାଇଛି। ଏହି ସେକ୍ଟର ପାଇଁ ମୋଟ ୧୨, ୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଅଭିଯାନକୁ ଆହୁରି ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦୀ ସରକାର।
କୃଷି ପାଇଁ ୨.୮୩ ଲକ୍ଷ କୋଟି
ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ସରକାରର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି। ଏହି ବଜେଟ୍ରେ କୃଷି କ୍ଷେତ୍ରର ବିକାଶ ପାଇଁ ଗୁରୁତ୍ୱାରୋପ କରାଯାଇଛି। ସ୍ୱପ୍ନର ଭାରତ ଗଠନ କରିବାକୁ ହେଲେ କୃଷି କ୍ଷେତ୍ରର ବିକାଶ ନିହାତି ଜରୁରୀ ବୋଲି ମୋଦୀ ସରକାର ବୁଝିଛନ୍ତି। ଏଣୁ କୃଷି କ୍ଷେତ୍ରର ବିକାଶ ପାଇଁ ଚଳିତ ବଜେଟ୍ରେ ୨.୮୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ଏହି ବ୍ୟୟ ଅଟକଳରେ ଚାଷ ଜମିକୁ ଜଳସେଚନ, ଚାଷୀଙ୍କୁ ସୋଲାର ପମ୍ପ୍, ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ। ମତ୍ସ୍ୟ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ମହିଳା ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ। ମହିଳା ଚାଷୀଙ୍କ ପାଇଁ ‘ଧନଲକ୍ଷ୍ମୀ’ ଯୋଜନା ଶୁଭାରମ୍ଭ କରାଯିବ।
କୃଷି ଉତ୍ପାଦର ପରିବହନ ପାଇଁ କୃଷି ଉଡ଼ାନ୍ ଏବଂ କିଷାନ୍ ରେଲ ଯୋଜନା ଶୁଭାରମ୍ଭ ହେବ। ୨୦୨୦ ସୁଦ୍ଧା ଚାଷୀର ଆୟ ଦୁଇଗୁଣ କରିବାର ଲକ୍ଷ୍ୟ ରହିଛି। ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନିର୍ମାଣ କରିବାର ଲକ୍ଷ୍ୟ ରହିଛି।
ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି
ଦକ୍ଷତା ବିକାଶ ଉପରେ ମଧ୍ୟ ଚଳିତ ବଜେଟ୍ରେ ଫୋକସ୍ ଦିଆଯାଇଛି। ଏଥିପାଇଁ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଦେଶରୁ ଯେଉଁ ଛାତ୍ରଛାତ୍ରୀମାନେ ଭାରତରେ ପାଠ ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ସରକାର କହିଛନ୍ତି।
ଏଥିପାଇଁ ଆଫ୍ରିକା ଓ ଏସିଆର ବିଭିନ୍ନ ସ୍ଥାନରେ IND-SAT ପରୀକ୍ଷା କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାସହ ଜାତୀୟ ସୂଚକାଙ୍କ ତାଲିକାରେ ଯେଉଁ ଶିକ୍ଷାନୁଷ୍ଠାନ ଟପ୍-୧୦୦ରେ ରହିଛନ୍ତି ସେଠାରେ ଅନ୍ଲାଇନ୍ ଡିଗ୍ରୀ ଶିକ୍ଷା ଦେବାର ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଶିକ୍ଷା ପାଇଁ ୯୯,୩୦୦ କୋଟି
କୃଷି ଭଳି ଶିକ୍ଷା କ୍ଷେତ୍ରକୁ ଚଳିତ ବଜେଟ୍ରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶିକ୍ଷାର ବିକାଶ ପାଇଁ ୯୯ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ କରିବାକୁ ସରକାର ଘୋଷଣା କରିଛନ୍ତି। ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ।
ଶିକ୍ଷାର ବିକାଶ ପାଇଁ ଖୁବ୍ଶୀଘ୍ର ନୂଆ ଶିକ୍ଷା ନୀତି ଘୋଷଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମାର୍ଚ୍ଚ ୨୦୨୧ ସୁଦ୍ଧା ୧୫୦ଟି ନୂଆ ଉଚ୍ଚ ଶିକ୍ଷା ସଂସ୍ଥା ପ୍ରତିଷ୍ଠା କରାଯିବ। ଏହି ସବୁ ସଂସ୍ଥାରେ ସ୍କିଲ ପ୍ରଶିକ୍ଷଣ ମିଳିବ। ଏଥିରୁ ସ୍କୁଲ ଶିକ୍ଷା ପାଇଁ ୫୬,୫୩୬ କୋଟି ଓ ଉଚ୍ଚ ଶିକ୍ଷା ପାଇଁ ୩୮,୩୧୭ କୋଟି ଖର୍ଚ୍ଚ କରାଯିବ। ୟୁଜିସିକୁ ୪୬୦୦ କୋଟି ଟଙ୍କା ମିଳିବ। ଗତ ବର୍ଷ ଏହା ଥିଲା ୪୬୮୭ କୋଟି। ଆଇଆଇଟି ପାଇଁ ବଜେଟରେ୬୪୦୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆଇଆଇଏମ ପାଇଁ ୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ପାଇଁ ୮୯୯ କୋଟି ଟଙ୍କା ମିଳିବ। ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ଷ୍ଟଡ଼ି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବ।
ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଖର୍ଚ୍ଚ ହେବ ୬୯ ହଜାର କୋଟି
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଲୋକଙ୍କୁ ସୁଲଭମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଦେଶର ପ୍ରତି ଜିଲ୍ଲା ଜନଔଷଧି କେନ୍ଦ୍ର ପ୍ରତିଷ୍ଠା କରିବାକୁ ବଜେଟର ବ୍ୟୟବରାଦ କରାଯାଇଛି।
ଶିଳ୍ପ ପାଇଁ ୨୭ ହଜାର ୩୦୦ କୋଟି
ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସରକାର ୨୭ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଭାରତରେ କିପରି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ଏବଂ ନିବେଶକାରୀମାନେ କିପରି ଭାରତକୁ ଆକର୍ଷିତ ହେବେ ସେଥିପାଇଁ ବ୍ୟବସ୍ଥା କରାଯିବ। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏମ୍ଏସ୍ଏମ୍ଇ ସେକ୍ଟରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଶକ୍ତି ପାଇଁ ୨୨ ହଜାର କୋଟି
ବିଦ୍ୟୁତ ଶକ୍ତି ପାଇଁ କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରି-ପେଡ୍ ସ୍ମାର୍ଟ ମିଟର ଲାଗୁ କରିବା ଉପରେ ଫୋକସ୍ ଦିଆଯାଇଛି। ୩ ବର୍ଷ ଭିତରେ ଏହି ମିଟର ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ବିଦ୍ୟୁତ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଲକ୍ଷ୍ୟ ରହିଛି।
ମହିଳାଙ୍କ ପାଇଁ ୨୮ ହଜାର ୬୦୦ କୋଟି
ଦେଶର ବିକାଶରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତି ବଜେଟ୍ରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଇଥାନ୍ତି। ମହିଳା ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୨୮ ହଜାର ୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ପୁଷ୍ଟିକର ଯୋଜନା ପାଇଁ ୩୫ ହଜାର ୬୦୦ କୋଟି
ପୁଷ୍ଟିହୀନତା ଆମ ଦେଶର ବିକାଶରେ ପ୍ରତିବନ୍ଧକ ସାଜିଥାଏ। ଏହାକୁ ଭଳଭାବେ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଚଳିତ ବଜେଟ୍ରେ ପୁଷ୍ଟିକର ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି। ପୁଷ୍ଟିକର ଯୋଜନା ପାଇଁ ୩୫ ହଜାର ୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୁଷ୍ଟିହୀନତା ଦୂର ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇଛି। ୬ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ଦିଆଯାଇଛି। ଏଥିରେ ସେମାନେ ପୁଷ୍ଟିକର ସମ୍ପର୍କୀତ ଖବର ଅପଡେଟ୍ କରିବେ।
ସେହିପରି ଏସ୍ସି ଓ ଓବିସି ବର୍ଗ ପାଇଁ ୮୫ ହଜାର କୋଟି, ଅନସୂଚିତ ଜନଜାତି (ଏସ୍ଟି) ବିକାଶ ପାଇଁ ୫୩ ହଜାର ୭୦୦ କୋଟି, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୯ ହଜାର ୫୦୦ କୋଟି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅଢ଼େଇ ହଜାର କୋଟି, ସଂସ୍କୃତି ମନ୍ତ୍ରାଳୟ ପାଇଁ ୩ ହଜାର ୧୫୦ କୋଟି, ଜି-୨୦ ସମ୍ମିଳନୀ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।