ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସର ମୂଳ ଉଦେଶ୍ୟ ହେଉଛି କ୍ୟାନ୍ସର ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ କ୍ୟାନସର ପ୍ରତିଶତ ହ୍ରାସ କରାଯାଇବା। ଚଳିତବର୍ଷ ଏହି ଦିବସର ଥିମ ‘ଆଇ ଆମ୍ ଆଣ୍ଡ ଓ୍ୱିଲ’ ରହିଛି।
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। ଏହି ମାରାତ୍ମକ କର୍କଟ ରୋଗ ସମ୍ପର୍କରେ ‘ଓଡ଼ିଶାଲାଇଭ୍’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଡାକ୍ତର ସରୋଜ ଦାସ।
କାହିଁକି ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା?
ବିଭିନ୍ନ କାରଣରୁ ହୋଇଥାଏ କର୍କଟ ରୋଗ। କେବଳ ଆମ ଦେଶ ନୁହେଁ, ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି।
ଆମ ଦେଶରେ ମୁଖ ଗହ୍ୱର, ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଜରାୟୁ କ୍ୟାନ୍ସର, ସ୍ତନ କର୍କଟ ଆଦି ପରିଲକ୍ଷିତ ହୋଇଥାଏ। ଏହାସହ ଫୁସଫୁସ, ପାକସ୍ତଳୀ, ଅନ୍ତଃନଳୀ ଏବଂ ମଳଦ୍ୱାର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ।
ଖାଦ୍ୟ, ପରିବେଶ, ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଉଛି। ତମାଖୁ ସେବନ, ମଦ୍ୟପାନ ଏବଂ ଧୂମପାନ ବି କ୍ୟାନ୍ସର ରୋଗର ମୁଖ୍ୟ ବାହକ।
କେଉଁ ବୟସର ଲୋକଙ୍କୁ କର୍କଟ ରୋଗ ହୋଇଥାଏ?
କର୍କଟ ରୋଗ ଆକ୍ରମଣ କରିବାର ସେମିତି କିଛି ବୟସ ସୀମା ନାହିଁ। ଯେ କୌଣସି ବୟସର ଲୋକଙ୍କୁ କର୍କଟ ରୋଗ ହେବାର ଆଶଙ୍କା ରହିଛି। ଭିନ୍ନ ଭିନ୍ନ କ୍ୟାନ୍ସର ଭିନ୍ନ ଭିନ୍ନ ବୟସର ଲୋକଙ୍କୁ ଆକ୍ରାନ୍ତ କରିଥାଏ।
୩୦ ବର୍ଷର ମହିଳାଙ୍କଠାରୁ ଆରମ୍ଭ କରି ୭୫ ବର୍ଷ ବୟସ୍କା ମହିଳା ବି ସ୍ତନ କ୍ୟାନ୍ସରର ଶିକାର ହୋଇଥାନ୍ତି। ଏମିତିକି ୨୫ ବର୍ଷର ଯୁବତୀ ବି ସ୍ତନ କର୍କଟ ରୋଗର ଶିକାର ହୋଇପାରନ୍ତି। ମୁଖ ଗହ୍ୱର କର୍କଟ ୨୦/୨୫ ବର୍ଷ ପରେ ହୋଇଥାଏ। ମଳଦ୍ୱାର ଏବଂ ଅନ୍ତଃନଳୀ କ୍ୟାନ୍ସର ୪୦ ବର୍ଷ ପରେ ଲୋକଙ୍କୁ ହୋଇଥାଏ। ଫୁସ୍ଫୁସ୍ କ୍ୟାନ୍ସର ଯେକୌଣସି ବୟସର ଲୋକଙ୍କୁ ଆକ୍ରାନ୍ତ କରିପାରେ।
ଯୁବପିଢ଼ିମାନେ କାହିଁକି ଆକ୍ରାନ୍ତ ହୋଇଥା’ନ୍ତି?
ଯୁବପିଢ଼ିମାନେ ମଦ୍ୟପାନ, ଧୂମପାନ ଏବଂ ତମାଖୁ ସେବନ କରୁଛନ୍ତି। ଦୀର୍ଘ ସମୟ ଧରି ତମାଖୁ ପାଟିରେ ରଖୁଛନ୍ତି। ମଦ୍ୟପାନକୁ କିଛି ଲୋକ ଏବେ ସୋସିଆଲ ଷ୍ଟାଟସ୍ ଭାବେ ଗ୍ରହଣ କରି ନେଇଛନ୍ତି। ଏହି ଷ୍ଟାଟସ୍ ଅଭ୍ୟାସରେ ପରିଣତ ହୋଇଯାଉଥିବାରୁ ଯୁବପିଢ଼ି ବେଶୀ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି।
ଯଦି କିଏ ସମ୍ପୂର୍ଣ୍ଣ ନିଶାସକ୍ତ ହୋଇ ଯାଇଛି ବା ନିଶା ଆଦୌ ଛାଡ଼ି ପାରୁନାହିଁ ସେ ରିହାବିଲଟେସନ୍ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଦରକାର।
ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ପାଇଁ କିଛି ଅଭାବ ରହିଛି କି?
ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ପାଇଁ ଯାହା ସୁବିଧା ଅଛି ତାହା ଯଦିଓ ଯଥେଷ୍ଟ ନୁହେଁ, ତଥାପି ଭଲ ସୁବିଧା ରହିଛି। କିନ୍ତୁ ରୋଗୀ ସଂଖ୍ୟା ତୁଳନାରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ। ଏଣୁ ଡାକ୍ତରଙ୍କ ସଂଖ୍ୟା କେମିତି ବୃଦ୍ଧି ପାଇବ ଏବଂ କ୍ୟାନ୍ସର ରୋଗର ଚିକିତ୍ସା କିପରି ଅଧିକ ବ୍ୟାପକ ହୋଇପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ଓଡ଼ିଶାରେ ହସ୍ପିଟାଲ ସଂଖ୍ୟା ବଢ଼ିଲେ ଚିକିତ୍ସା ବି ଭଲରେ ହେବ ।
କେମୋ ଓ ରେଡିଓ ଲାଇଟ୍ ବ୍ୟତୀତ ଆଉ କିଛି ସହଜ ଚିକିତ୍ସା ପଦ୍ଧତି ଅଛି କି?
କେବଳ କେମୋ କିମ୍ବା ରେଡିଓ ଥେରାପି ନୁହେଁ, କ୍ୟାନ୍ସର ଚିକିତ୍ସା ପାଇଁ ଆହୁରି ଅନେକ ସୁବିଧା ରହିଛି । ତେବେ କ୍ୟାନ୍ସର କେଉଁ ଷ୍ଟେଜରେ ଅଛି ତାହା ଦେଖିବା ପରେ ହିଁ ଚିକିତ୍ସା କରାଯାଇଥାଏ। ଗୋଟିଏ ଗୋଟିଏ କ୍ଷେତ୍ରରେ ୩ ପ୍ରକାର ଚିକିତ୍ସା ପଦ୍ଧତିକୁ ଆପଣାଯାଇଥାଏ। ସର୍ଜିକାଲ, କେମୋ ଏବଂ ଶେଷରେ ରେଡିଓ ଥେରାପି ଚିକିତ୍ସା କରାଯାଏ। ବିଭିନ୍ନ ଷ୍ଟେଜର କ୍ୟାନ୍ସର ରୋଗ ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣାଯାଇଥାଏ।
ମାନସିକ ଅବସାଦ କ୍ୟାନ୍ସର ସୃଷ୍ଟିର ଅନ୍ୟ ଏକ କାରଣ କି?
ମାନସିକ ଅବସାଦ ପାଇଁ କ୍ୟାନସର ହୁଏନି। କ୍ୟାନ୍ସର ପାଇଁ ହିଁ ଜଣେ ରୋଗୀ ମାନସିକ ଚାପରେ ରହିଥାଏ। କାରଣ ଜଣେ ଲୋକକୁ କ୍ୟାନ୍ସର ହୋଇଛି ବୋଲି କୁହାଗଲେ ସେ ସଙ୍ଗେ ସଙ୍ଗେ ମାନସିକ ସ୍ତରରେ ଆଘାତ ପାଇଥାଏ ଏବଂ ହାରାଶ ହୋଇଯାଏ।
କର୍କଟ ରୋଗରୁ ବଞ୍ଚିବା କଷ୍ଟକର କି?
କ୍ୟାନ୍ସର ଭିନ୍ନ ଭିନ୍ନ ଷ୍ଟେଜ ଦେଇ ଯାଇଥାଏ। ଏଣୁ ବଞ୍ଚିବା ଏବଂ ନବଞ୍ଚିବା ସେହି ଷ୍ଟେଜ ଉପରେ ନିର୍ଭର କରିଥାଏ। ଏଣୁ ରୋଗୀକୁ ଦେଖି ଆମେ ଚିକିତ୍ସା କରିଥାଉ। ମୁଖ ଗହ୍ୱର, ଜରାୟୁ କ୍ୟାନସର, ସ୍ତନ କ୍ୟାନସର ଏବଂ ହେଡ ଆଣ୍ଡ ନେକ୍ କ୍ୟାନସର ଆରମ୍ଭରୁ ଯଦି ଚିକିତ୍ସା କରାଯାଏ ତାହାଲେ ରୋଗୀ ଭଲ ହେବାର ବହୁତ ସମ୍ଭାବନା ରହିଛି। କିନ୍ତୁ ଲୋକଙ୍କୁ ବୁଝେଇ ହେବନି। କ୍ୟାନସର ହୋଇଛି ଜଣାପଡ଼ିବା ପରେ ଲୋକେ ନିରାଶ ହୋଇ ଯାଆନ୍ତି। ଏଣୁ ଡାକ୍ତରମାନେ ରୋଗୀଙ୍କୁ ଭଲଭାବେ କାଉନସେଲିଂ କରିବା ଦରକାର। ରୋଗୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ହେଉଛି ଡାକ୍ତରଙ୍କର ମୁଖ୍ୟ କର୍ତ୍ତବ୍ୟ ।
କ୍ୟାନ୍ସର ପାଇଁ ପ୍ରତିକାର କ’ଣ?
-ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଦରକାର।
-ପୋଡ଼ା ଖାଦ୍ୟ ପରିହାର କରିବା ଦରକାର।
-ପ୍ରତିଦିନ ଆମେ ଖାଦ୍ୟରେ କିଛି ନା କିଛି ଫଳ ଖାଇବା ଦରକାର।
-ସିଝା ଏବଂ ତରଳ ସାମଗ୍ରୀ ଖାଇବା ଦରକାର।
-ସକାଳେ ଏବଂ ସନ୍ଧ୍ୟାରେ ବ୍ୟାୟାମ କରିବା ଦରକାର।
-କଳ କାରଖାନାରେ କାମ କରୁଥିବା ଲୋକେ ମାସ୍କ ବ୍ୟବହାର କରିବା ନିହାତି ଦରକାର।
– ଧୂମପାନ, ମଦ୍ୟପାନରୁ ଦୂରେଇ ରହିବା ଦରକାର।