ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର କ୍ୟାଡରର ସାତ ଜଣ ଆଇଏଏସ୍ ଅଧିକାରୀ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଗୁରୁବାର ଏହି ଟିମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଅପରେସନ୍ ସେଣ୍ଟର ଓ ନିୟନ୍ତ୍ରଣ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି।
‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଏହି ଅଧିକାରୀମାନେ ଭୁବନେଶ୍ୱର ଅପରେସନ୍ ସେଣ୍ଟର ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସହର ବିକାଶ, ପାନ୍ ସିଟି ପ୍ରସ୍ତାବ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଆଦି ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ସାମାଜିକ ସ୍ତରରେ ସହରର ଉନ୍ନତି କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
ଏଥିସହିତ ଏହି ଆଇଏଏସ୍ ଅଧିକାରୀମାନେ କହିଥିଲେ ଯେ ସେମାନେ ଦେଶର ଅନେକ ସହର ବୁଲିଛନ୍ତି। ତା’ଭିତରେ କିନ୍ତୁ ଭୁବନେଶ୍ୱରର ସ୍ମାର୍ଟ ସିଟି ଯୋଜନା ଭିନ୍ନ। ସହରବାସୀଙ୍କ ଜୀବନର ମାନ ବୃଦ୍ଧି କରିବା ପାଇଁ ସ୍ମାର୍ଟ ସିଟି ଯୋଜନାରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସେମାନେ କହିଛନ୍ତି।
ଏହି ଅବସରରେର ସେମାନେ ସହରର ଯାତାୟତ ବ୍ୟବସ୍ଥା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଭୂରି ପ୍ରଶଂସା କରିଛନ୍ତି। ଏଥିସହିତ ଏହି ସାତ ଜଣିଆ ଟିମ୍ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ଅନେକ ଯୋଜନା ଉପରେ ଆଲୋଚନା କରିଥିଲେ।
ଆଇଏଏସ୍ ଅଫିସରମାନଙ୍କ ସହିତ ଏହି ଗସ୍ତରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଜେନେରାଲ ମ୍ୟାନେଜର କମଲଜିତ୍ ଦାସ, ମନୋରଞ୍ଜନ ସାମନ୍ତରାୟ, ଅଶ୍ୱିନୀ କୁମାର ବିଶ୍ୱାଳ, ଦିପ୍ତୀରାଣୀ ସାହୁ, ଶେଷଦେବ ପଣ୍ଡା ଓ ଅଜୟ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ।