ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲା ଦିଲ୍ଲୀ ହିଂସାକାଣ୍ଡ ପ୍ରସଙ୍ଗ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।
ଏହି ପ୍ରତିନିଧିଦଳ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଗୁଲାମ ନବୀ ଆଜାଦ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରଣଦୀପ ସୂର୍ଯେଓ୍ୱାଲା ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ସାମିଲ ଥିଲେ।
ସ୍ମାରକୀ ପତ୍ର ରାଷ୍ଟ୍ରପତିଙ୍କୁ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ଏହାର କିଛି ଅଂଶ ପଢ଼ି ଗଣମାଧ୍ୟମକୁ ଶୁଣାଇଥିଲେ। ଏହି ଭୟଙ୍କର ହିଂସାକାଣ୍ଡ ପାଇଁ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ଦାୟୀ ବୋଲି ସୋନିଆ ଗାନ୍ଧୀ ଶୁଣାଇଥିଲେ।
ଏଥିସହିତ ଦିଲ୍ଲୀ ପୋଲିସକୁ ମଧ୍ୟ ସେ ଭତ୍ସନା କରିଥିଲେ। ଦିଲ୍ଲୀ ପୋଲିସ ଯଦି ଠିକ୍ ସମୟରେ ଉଚିତ ପଦକ୍ଷେପ ନେଇଥାନ୍ତା ତେବେ ଅନେକ ନିରୀହ ଜୀବନ ବଞ୍ଚି ଯାଇପାରିଥାନ୍ତା ବୋଲି ସୋନିଆ କହିଛନ୍ତି। ବୁଧବାର ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ସୋନିଆ ଏହି କଥା କହିଥିଲେ। ଏହି ହଂସାକାଣ୍ଡ ସୁଚିନ୍ତିତ ଷଡ଼ଯନ୍ତ୍ର କହିବା ସହିତ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ ସୋନିଆ।


















