ଓଡ଼ିଶାଲାଇଭ୍‌ ବ୍ୟୁରୋ

 

  • ମଙ୍ଗଳବାର ସୁନ୍ଦରଗଡ଼ ଷ୍ଟାଡିୟମରେ ବିଶେଷ କାର୍ଯ୍ୟକ୍ରମ
  • ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ହେବ ଲୋକାର୍ପଣ
  • ୧୦୨ଟି ଜନକଲ୍ୟାଣ ପ୍ରକଳ୍ପର ହେବ ଶିଳାନ୍ୟାସ, ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ
  • ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ
  • ସୁନ୍ଦରଗଡ଼ ବିକାଶ କ୍ଷେତ୍ରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଶେଷ ଯୋଗଦାନ
  • ଦଳୀୟ ସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯିବେ। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗୀକୃତ କରିବେ। ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨ଟି ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୦୩୨.୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଆଦି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ଏହି ଅନୁଦାନ ମିଳିଛି। ଏହାକୁ ଆଧାର କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିତ୍ତିଭୂମିର ଉନ୍ନତିଲାଗି ବିଭିନ୍ନ ପ୍ରକଳ୍ପର ପରିକଳ୍ପନା କରାଯାଇଛି।

ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହାକୁ ଆଗେଇ ନେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଉପରେ ଜୋର୍‌ ଦେଉଛନ୍ତି। ଜିଲ୍ଲାର ୧୫ଟି ଆବାସିକ ବିଦ୍ୟାଳୟରେ ୧୭.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅତିରିକ୍ତ କ୍ଲାସ୍‌ ‌ରୁମ୍‌‌, ଡାଇନିଂ ହଲ୍‌, ରୋଷେଇ ଘର, ଖେଳପଡ଼ିଆ ଓ ହଷ୍ଟେଲ୍। ହଷ୍ଟେଲରେ ଗଦି ବ୍ୟବସ୍ଥା ସହ ସ୍କୁଲ୍‌ ପାଇଁ ଡିଜେଲ ଜେନେରେଟର ସେଟ୍ ମଧ୍ୟ ଯୋଗାଇ ଦିଆଯାଇଛି। ମୋଟ୍ ୨୮କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟସେବାର ସୁବିଧା ପାଇଁ ସରକାର ଜିଲ୍ଲା ଖଣିଜ ପାଣ୍ଠିରୁ ୩୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି। ତା’ ସହିତ ୧୫ଟି ମହାପ୍ରୟାଣ ଗାଡ଼ି ମଧ୍ୟ ପ୍ରଦାନ କରାଯାଉଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏହି ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କଗୁଡ଼ିକୁ ଉନ୍ନତ ମାନର କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ସହଯୋଗର ହାତ ବଢ଼ାଇ ଆସିଛି। କୋଇଡ଼ାରୁ ଡେଙ୍ଗୁଲା, ଟେନ୍ସା, ବରସୁଆଁ ଦେଇ କଲେଇପାସ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୩୮ କିଲୋମିଟର ରାସ୍ତା ଲାଗି ଡିଏମଏଫ୍ ପାଣ୍ଠିରୁ ୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଯକ୍ଷ୍ମା ନିରାକରଣ ଓ ଚିକିତ୍ସା ଉପରେ ସ୍ୱାସ୍ଥ୍ୟ ବିଭାଗ ଜୋର ଦେଇଆସୁଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ଏଥିପାଇଁ ଯୋଗାଇ ଦିଆଯାଉଛି ଅତ୍ୟାଧୁନିକ TRUENAT ମେସିନ୍। ଜିଲ୍ଲା ଖଣିଜ ପାଣ୍ଠିରୁ ୫.୯୮ କୋଟି ଅର୍ଥରେ କିଣାଯାଇଥିବା ଏହି ମେସିନଗୁଡ଼ିକ ଯକ୍ଷ୍ମା ରୋଗର ଚିହ୍ନଟ ଲାଗି ଆବଶ୍ୟକ ପରୀକ୍ଷା ପାଇଁ ବିଶେଷ ସହାୟକ ହେବ। ବଣେଇ ସବଡିଭିଜନାଲ୍ ହସ୍ପିଟାଲ୍ ସହ କୋଇଡ଼ା, ରାଜଗାଙ୍ଗପୁର, ହେମଗିରି, ପାନପୋଷ ଓ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ମେସିନ୍ ବ୍ୟବହାର ହେବାକୁ ଯାଉଛି।

ଖଣି ପ୍ରଭାବିତ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଆର୍ଥିକ ସହଯୋଗ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।

ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ପରେ ବିଜେଡି ପକ୍ଷରୁ ଆୟୋଜିତ ଏକ ଦଳୀୟ ସମାବେଶରେ ଯୋଗ ଦେବେ। ଦଳର କର୍ମୀ ଓ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ସମାବଶେରେ ଉଦ୍‌ବୋଧନ ଦେବେ।

LEAVE A REPLY

Please enter your comment!
Please enter your name here