ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ଫାଶୀ ରୋକିବାକୁ ରାତି ଅଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଓକିଲ ଏ ପି ସିଂହ। ରାତି ୨ଟାରୁ ୪୫ ମିନିଟ୍ ଯାଏଁ ଚାଲିଲା ଶୁଣାଣି।
ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରୁ ବଞ୍ଚାଇବା ପାଇଁ ଓକିଲ ଏ ପି ସିଂହ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଆଉ ଫାଶୀ ତାରିଖ ଘୁଞ୍ଚାଇ ହେବନି ବୋଲି ସଫା ସଫା କହିବା ପରେ ଓକିଲ ଏ ପି ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀଙ୍କ ଓକିଲ ଏ ପି ସିଂହ ଗୁରୁବାର ରାତି ଅଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ରାତି ୨ଟାରେ ସୁପ୍ରିମକୋର୍ଟ ଖୋଲିଥିଲା। ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୪୫ ମିନିଟ୍ ଧରି ଶୁଣାଣି କରିଥିଲେ। ଶେଷରେ ଓକିଲ ଏ ପି ସିଂହ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ। ଶେଷରେ ତିହାର ଜେଲ୍ରେ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ମିଳିଛି।
ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରୁ ଖସାଇବା ପାଇଁ ଓକିଲ ଏ ପି ସିଂହ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହେଲେ ତାହା ସଫଳ ହେଲାନି।
ରାତିରେ ଆଉ କେବେ ଖୋଲିଥିଲା ସୁପ୍ରିମକୋର୍ଟ?
୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣର ଅଭିଯୁକ୍ତ ୟାକୁବ ମେନନ ମାମଲାର ଶୁଣାଣି ପାଇଁ ଅଧ ରାତିରେ ସୁପ୍ରିମକୋର୍ଟ ଖୋଲିଥିଲା। ମେନନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ୨୦୧୫ ଜୁଲାଇ ୩୦ରେ ସେ ରାତିରେ ସୁପ୍ରିମକୋର୍ଟ ଯାଇଥିଲେ। ଫାଶୀ ଘୁଞ୍ଚାଇବା ପାଇଁ ଏହି ଆବେଦନ କରାଯାଇଥିଲା। ଜଷ୍ଟିସ୍ ଦୀପ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସକାଳ ୪ଟା ୫୭ ଯାଏଁ ମାମଲାର ଶୁଣାଣି ଚାଲିଥିଲା। ହେଲେ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ମିଳି ନଥିଲା। ମେନନକୁ ଫାଶୀ ମିଳିଥିଲା।
ସେହିପରି ୨୦୧୮ରେ କର୍ଣ୍ଣାଟକରେ ଚାଲିଥିବା ରାଜନୀତିକ ଡ୍ରାମା ମାମଲାର ଶୁଣାଣି ପାଇଁ ରାତି ୨ଟାରେ ସୁପ୍ରିମକୋର୍ଟ ଖୋଲିଥିଲା। ଏହି ସମୟରେ ରାତିରେ ବିଜେପିକୁ ସରକାର ଗଠନ କରିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ। ଏହାକୁ ଚାଲେଞ୍ଜ କରି କଂଗ୍ରେସ ରାତିରେ ସୁପ୍ରିମକୋର୍ଟ ଯାଇଥିଲା। ୨୦୧୯ ମେ ୧୭ରେ ରାତି ୨ଟାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇ ସକାଳ ୫ଟା ଯାଏଁ ଚାଲିଥିଲା।