ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସହରାଞ୍ଚଳ ଗରିବଙ୍କ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ
  • ୧୧୪ଟି ପୌରାଞ୍ଚଳରେ ରହୁଥିବା ଗରିବ, ଶ୍ରମିକଙ୍କୁ ମିଳିବ କାମ
  • ସାଢ଼େ ୪ ଲକ୍ଷ ପରିବାର ହେବେ ଉପକୃତ
  • ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ଚାଲିବ ଏହି ଜରୁରିକାଳୀନ ଯୋଜନା
  • ମିଶନ ଶକ୍ତି ସହଭାଗିତାରେ ଚାଲିବ କାମ

କୋଭିଡ୍‌ ୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଜି ସହରାଞ୍ଚଳ ଗରିବଙ୍କ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ସରକାର କହିଛନ୍ତି।

ଏହି ଯୋଜନା ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ। ମିଶନ ଶକ୍ତିର ମା’ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ। ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଦିଆଯିବ।

ସହରାଞ୍ଚଳର ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଅର୍ବାନ ୱେଜ୍‌ ଏମ୍ପ୍ଲଏମେଣ୍ଟ କାର୍ଯ୍ୟକ୍ରମ ନାଁରେ ଏହି ଜରୁରିକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଜ୍ୟର ୧୧୪ ପୌରାଞ୍ଚଳଗୁଡ଼ିକରେ ରହୁଥିବା ଶ୍ରମିକ, ଗରିବ ଲୋକ, ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ।

coronaଏହି ଯୋଜନାରେ ଡ୍ରେନ୍‌ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡ଼ିକର ଉନ୍ନତିକରଣ, ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ, ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ କରାଯିବ। ଏହାସହ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ଏହି ସମସ୍ତ କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତ୍ୱ ଓ କୋଭିଡ୍‌୧୯ ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ପାଳନ କରାଯିବ।

Comment