ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ ପଞ୍ଚାୟତରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିଲେ ରାଜ୍ୟ ସରକାର ଦେବେ ୨ ହଜାର ଟଙ୍କାର ସହାୟତା।

କୋଭିଡ୍‌-୧୯ ମୁକାବିଲା ପାଇଁ ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର। ନିଜ ପଞ୍ଚାୟତରେ କରୋନା କିପରି ନିୟନ୍ତ୍ରଣ ହେବ ସେନେଇ ସରପଞ୍ଚମାନେ କାର୍ଯ୍ୟ କରିବେ।

‘‘ତୃଣମୂଳ ସ୍ତରର ଲୋକମାନଙ୍କର ନିଜସ୍ୱ ଅନୁଷ୍ଠାନ ହେଉଛି ପଞ୍ଚାୟତିରାଜ ଅନୁଷ୍ଠାନ। ଏଣୁ କୋଭିଡ୍‌-୧୯ ମୁକାବିଲାରେ ପଞ୍ଚାୟତମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। କରୋନା ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ଏଥିପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯାଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ବାହାରୁ ଯେଉଁମାନେ ଗାଁକୁ ଆସିବେ ସେମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ କରିବା ସହ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହେଲେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାସହ କ୍ୱାରେଣ୍ଟାଇନରେ ରହିଲେ ରହିବା ଓ ଖାଇବା ମାଗଣାରେ ସରକାର ଯୋଗାଇ ଦେବେ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରତି ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଏହାସହ ଅସହାୟ ଏବଂ ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି।

Comment